ବଡ ଘୋଷଣା କଲେ ଭି .କେ ପାଣ୍ଡିଆନ, ଜୁନ୍ ୯ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ ପଟ୍ଟନାୟକ
ଭୁବନେଶ୍ୱର: ନିର୍ବାଚନ ଶେଷ ହୋଇନଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶପଥ ଗ୍ରହଣ ତାରିଖ କହି ପାଣ୍ଡିଆନ ମାଷ୍ଟରଷ୍ଟ୍ରୋକ ମାରିଛନ୍ତି । ଭବାନୀପାଟଣା ସଭାରୁ ବଡ ଘୋଷଣା କରିଛନ୍ତି ବିଜେଡି ନେତା ଭି.କେ ପାଣ୍ଡିଆନ । ମଞ୍ଚ ଉପରୁ ପାଣ୍ଡିଆନ କହିଛନ୍ତି, କଳାହାଣ୍ଡିବାସୀ ଓ ଓଡ଼ିଶାବାସୀଙ୍କ ଆଶୀର୍ବାଦ ଓ ସହଯୋଗରେ ମୁଖ୍ୟମନ୍ତ୍ରୀ ଇତିହାସ ରଚିବେ ଓ ଓଡ଼ିଶା ମଧ୍ୟ ଇତିହାସ ରଚିବ । ଆସନ୍ତା ଜୁନ୍ ୯ ତାରିଖରେ ଓଡ଼ିଶାବାସୀଙ୍କ ପ୍ରିୟ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଶପଥଗ୍ରହଣ କରିବେ । ସକାଳ ସାଢେ ୧୧ଟାରୁ ଅପରାହ୍ନ ସାଢେ ୧ଟା ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶପଥଗ୍ରହଣ କରିବେ । ପାଣ୍ଡିଆନଙ୍କ ଏହି ବୟାନକୁ ନେଇ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି ।
ଏହାସହ ପାଣ୍ଡିଆନ କହିଛନ୍ତି, ଯିଏ କହିଲେ ବି ଓଡ଼ିଶାରେ କୌଣସି ଯୋଜନା ବନ୍ଦ ହେବନି । ଗରିବ ଲୋକଙ୍କୁ ସଶକ୍ତ କରୁଥିବା ଯୋଜନାକୁ ଓଡ଼ିଶାରେ କେହି ବନ୍ଦ କରିପାରିବେନି ବୋଲି କହିଛନ୍ତି ପାଣ୍ଡିଆନ । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ବ୍ରହ୍ମପୁର ସଭାରେ କହିଥିଲେ, ବିଜେପି ସରକାରକୁ ଆସିଲେ ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଲାଗୁ ହେବ । କିନ୍ତୁ ଆୟୁଷ୍ମାନ ଯୋଜନା ଠାରୁ ବିଏସକେୱାଇ ଯୋଜନା ଭଲ ବୋଲି କହିଛନ୍ତି ପାଣ୍ଡିଆନ । ଏହାସହ ବିଭିନ୍ନ ଜନାଭିମୁଖୀ ଯୋଜନାର ହିସାବ ଦେଇ ପାଣ୍ଡିଆନ କହିଛନ୍ତି, ଓଡ଼ିଶାବାସୀଙ୍କୁ ସୁବିଧା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ବିଭିନ୍ନ ଯୋଜନା କରିଛନ୍ତି । ତେଣୁ ଏଥର ଯୋଡି ଶଙ୍ଖରେ ଭୋଟ ଦେବାକୁ ଅପିଲ କରିଛନ୍ତି ପାଣ୍ଡିଆନ ।
ଗତକାଲି ବିଜେପିର ସଙ୍କଳ୍ପ ପତ୍ର ଘୋଷଣା ପରେ, ଆଜି ଭବାନୀପାଟଣାକୁ ଏହାକୁ ଟାର୍ଗେଟ କରିଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ୍ । ସିଧାସଳଖ ରାଜ୍ୟ ବିଜେପିକୁ ତୀର ମାରି ପାଣ୍ଡିଆନ୍ କହିଛନ୍ତି, ବିଜେପି ସରକାରକୁ ଆସିଲେ ଶହେ ଦିନ ଭିତରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ବନ୍ଦ କରି ଆୟୁଷ୍ମାନ୍ ଯୋଜନା ଲାଗୁ କରିବାକୁ ଘୋଷଣା କରିଛି । ହେଲେ ନବୀନ ବାବୁ ଥିବା ପର୍ୟ୍ୟନ୍ତ ସ୍ୱପ୍ନରେ ବି ଏ ଲୋକପ୍ରିୟ ଯୋଜନା ବନ୍ଦ ହେବନି ।
Powered by Froala Editor