ଓଡ଼ିଆ ଆଇଏଏସ ଅଫିସରଙ୍କ ପରଲୋକ
ଭୁବନେଶ୍ୱର : ଗୁଜୁରାଟ କ୍ୟାଡରର ଓଡ଼ିଆ ଆଇଏଏସ ଅଫିସର ଡକ୍ଟର ଗୁରୁପ୍ରସାଦ ମହାପାତ୍ରଙ୍କର ପରଲୋକ । ସେ ବର୍ତ୍ତମାନ ଡିପିଆଇଆଇଟି ବିଭାଗରେ ସଚିବ ଭାବେ ଦାୟିତ୍ଵ ତୁଲାଉଥିଲେ । ଏଥି ସହିତ ସେ ଏମଏସଏମଇ ସଚିବ ଭାବେ ଅତିରିକ୍ତ ଦାୟିତ୍ଵ ନିର୍ବାହ କରୁଥିଲେ । ଡକ୍ଟର ଗୁରୁପ୍ରସାଦ ମହାପାତ୍ର ହେଉଛନ୍ତି ପ୍ରଖ୍ୟାତ ସାହିତ୍ୟିକ ସ୍ଵର୍ଗତ ମହାପାତ୍ର ନୀଳମଣି ସାହୁଙ୍କ ସାନ ପୁଅ । ଏହା ପୂର୍ବରୁ ମଧ୍ୟ ସେ ଭାରତୀୟ ବିମାନବନ୍ଦର ପ୍ରାଧିକରଣର ଅଧ୍ୟକ୍ଷ ଥିଲେ । ବିମାନବନ୍ଦର ଭିତ୍ତିଭୂମିର ବିକାଶ ଦିଗରେ ତାଙ୍କର ଭୂମିକା ବେଶ୍ ସେ ଗୁରୁତ୍ଵପୂର୍ଣ୍ଣ ଥିଲା । ଏଥି ସହିତ ସେ ବିଭିନ୍ନ ବିଭାଗ ଓ ସଂସ୍ଥାରେ ଉଚ୍ଚପଦବୀରେ ରହି ଗୁରୁତ୍ଵପୂର୍ଣ୍ଣ ଭୂମିକା ତୁଲାଇଥିଲେ ।
ତାଙ୍କ ଦେହାନ୍ତକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ଵିଟ୍ କରି ଶୋକ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ଟ୍ଵିଟ୍ କରି ଲେଖିଛନ୍ତି ଯେ, ସ୍ଵର୍ଗତଃ ମହାପାତ୍ର ତାଙ୍କ ସହ ଉଭୟ ଗୁଜୁରାଟ ଓ କେନ୍ଦ୍ରରେ କାର୍ୟ୍ୟ କରିଥିଲେ । ନିଜର ପ୍ରଶାସନିକ ଦକ୍ଷତା ଓ ବିଭିନ୍ନ ସମସ୍ୟାର ଅଭିନବ ସମାଧାନ ପାଇଁ ସେ ପରିଚିତ ଥିଲେ ।
ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଗୁରୁପ୍ରସାଦ ମହାପାତ୍ରଙ୍କର ପରଲୋକରେ ଟ୍ଵିଟ୍ କରି ଶୋକ ପ୍ରକାଶ କରିଛନ୍ତି। ଓଡିଶା ଜନ୍ମିତ ଆଇଏଏସ ଅଧିକାରୀ ଗୁରୁପ୍ରସାଦଙ୍କ ଦେହାନ୍ତ ଖବର ମର୍ମାହତ କରିଛି । ସେ ନିଜର ପ୍ରଶାସନିକ ଦକ୍ଷତା ପାଇଁ ପରିଚିତ ଥିଲେ । ଏହାସହ ତାଙ୍କ ପରିବାର ପ୍ରତି ସମବେଦନା ମଧ୍ୟ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟ୍ଵିଟ୍ କରି ଶୋକ ପ୍ରକାଶ କରିଛନ୍ତି। ଦେଶର ଜଣେ ବଳିଷ୍ଠ ଓ ଦକ୍ଷ ପ୍ରଶାସକଙ୍କୁ ହରାଇଲା ବୋଲି ସେ କହିଛନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ତାଙ୍କ ପରଲୋକ ନେଇ ଶୋକ ପ୍ରକାଶ କରିଛନ୍ତି । ସେହିପରି ରେଳମନ୍ତ୍ରୀ ପିୟୁଷ ଗୋୟଲ ମଧ୍ୟ ଟ୍ଵିଟ୍ କରି ଗଭୀର ଶୋକ ପ୍ରକାଶ କରିଛନ୍ତି । ଦେଶପ୍ରତି ତାଙ୍କର ଅବଦାନ ମହତ୍ଵପୂର୍ଣ୍ଣ ବୋଲି ସେ କହିଛନ୍ତି ।
Powered by Froala Editor