ମଣିପୁର ନିର୍ବାଚନମଣ୍ଡଳୀର ୧୧ଟି ବୁଥରେ ସାନି ମତଦାନ ଆରମ୍ଭ
ଇମ୍ଫାଲ: ମଣିପୁରର ୧୧ଟି ବୁଥରେ ଆରମ୍ଭ ହେଲା ସାନି ମତଦାନ । ହିଂସା ଯୋଗୁଁ ଏପ୍ରିଲ ୧୯ ପ୍ରଥମ ପର୍ୟ୍ୟାୟ ଲୋକସଭା ନିର୍ବାଚନରେ ଏହି ସବୁ ବୁଥରେ ମତଦାନ ପ୍ରଭାବିତ ହୋଇଥିଲା । କଡା ସୁରକ୍ଷା ମଧ୍ୟରେ ମତ ସାବ୍ୟସ୍ତ କରୁଛନ୍ତି ମତଦାତା । ଆଭ୍ୟନ୍ତରୀଣ ମଣିପୁର ସଂସଦୀୟ ନିର୍ବାଚନମଣ୍ଡଳୀର ୧୧ଟି ବୁଥରେ ସକାଳ ୭ଟାରୁ ସାନି ମତଦାନ ଆରମ୍ଭ ହୋଇଛି । ଶାନ୍ତି ଶୃଙ୍ଖଳାର ସହ ଧାଡିରେ ଛିଡା ହୋଇ ଭୋଟ ଦେଉଛନ୍ତି ଭୋଟର । ସନ୍ଧ୍ୟା ୫ଟା ପର୍ୟ୍ୟନ୍ତ ମତଦାନ ଜାରି ରହିବ ।
ହିଂସା ଯୋଗୁଁ ୧୧ଟି ବୁଥରେ ଆଜି ସାମି ମତଦାନ ଜାରି ରହିଛି । ସେହି ବୁଥ ଗୁଡି ହେଉଛି, ଖୋରାଇ ବିଧାନସଭା ନିର୍ବାଚନମଣ୍ଡଳୀର ମୋଇରଙ୍ଗକାମ୍ପୁ ସଜିବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ଏସ୍ ଇବୋବି ପ୍ରାଥମିକ ବିଦ୍ୟାଳୟ (ଇଷ୍ଟ ୱିଙ୍ଗ), କ୍ଷେତ୍ରିଗାଓଁର ଚାରିଟି ବୁଥ, ଥୋଙ୍ଗଜୁରେ ଗୋଟିଏ, ଉରିପୋକରେ ତିନୋଟି ଏବଂ କନଥୁଜାମର ଗୋଟିଏ ବୁଥ ।
ମଣିପୁରରେ ଦୁଇଟି ଲୋକସଭା ଆସନ ରହିଥିବା ବେଳେ ଏପ୍ରିଲ ୧୯ ତାରିଖରେ ଆଭ୍ୟନ୍ତରୀଣ ମଣିପୁର ଆସନ ପାଇଁ ଭୋଟିଂ ହୋଇଥିଲା । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟାରେ ଶେଷ ହୋଇଥିଲା । ରେକର୍ଡ ସଂଖ୍ୟକ ୬୯.୧୮ ପ୍ରତିଶତ ଭୋଟିଂ ହୋଇଥିଲେ ସୁଦ୍ଧା ବିଷ୍ଣୁପୁରରେ ସୁରକ୍ଷାକର୍ମୀ ଓ ଉଗ୍ରବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ରାଜ୍ୟର ଅନ୍ୟ କିଛି ସମ୍ବେଦନଶୀଳ ସ୍ଥାନରେ ମଧ୍ୟ ହିଂସାକାଣ୍ଡ ଘଟିବାକୁ ଭୋଟିଂ ପ୍ରକ୍ରିୟା ପ୍ରଭାବିତ ହୋଇଥିଲା । ଫଳରେ ନିର୍ବାଚନ କମିଶନ ରବିବାର ୧୧ଟି ବୁଥରେ ସାନି ମତଦାନ ପାଇଁ ତାରିଖ ଘୋଷଣା କରିଥିଲେ । ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ସହ ଏହି ଭୋଟିଂ ପ୍ରକ୍ରିୟା ଶେଷ କରିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
Powered by Froala Editor