ହେଲ୍ଥ ଡ୍ରିଙ୍କ୍ସ ତାଲିକାରୁ ହଟିଲା Bournvita, ରହିଛି ଅତ୍ୟଧିକ ମାତ୍ରାର ଚିନି
Bournvita ସମେତ ଅନ୍ୟାନ୍ୟ ପାନୀୟକୁ ଇ-କମର୍ସ କମ୍ପାନିଗୁଡ଼ିକ ସେମାନଙ୍କ ପୋର୍ଟାଲ ଓ ପ୍ଲାଟଫର୍ମର ‘ହେଲ୍ଥ ଡ୍ରିଙ୍କ୍ସ’ ବର୍ଗରୁ ବାଦ୍ ଦେବାକୁ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମନ୍ତ୍ରାଳୟ ପକ୍ଷରୁ ଗତ ୧୦ ତାରିଖରେ ଏ ନେଇ ଏକ ବିଜ୍ଞପ୍ତି ଜାରି ହୋଇଛି। ନ୍ୟାଶନାଲ କମିଶନ ଫର ପ୍ରୋଟେକସନ ଅଫ ଚାଇଲ୍ସ ରାଇଟ (ଏନସିପିସିଆର) ଦ୍ୱାରା ହେଲଦି ଡ୍ରିଙ୍କ୍ସ ଉପରେ ପରୀକ୍ଷା କରାଯାଇ ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଛି।
ଶିଶୁ ଅଧିକାର ସୁରକ୍ଷା କମିସନ ଆଇନ ୨୦୦୫ର ଧାରା ୧୪ ଅଧୀନରେ ତଦନ୍ତ କରି ଜାଣିବାକୁ ପାଇଛି ଯେ ଏଫ୍ଏସ୍ଏସ୍ ଆଇନ ୨୦୦୬ ଅନୁଯାୟୀ ‘ହେଲ୍ଥ ଡ୍ରିଙ୍କ୍ସ’ର କୌଣସି ସଂଜ୍ଞା ନିୂରପଣ ହୋଇନାହିଁ। ତେଣୁ ଇ-କମର୍ସ କମ୍ପାନି/ପୋର୍ଟାଲଗୁଡ଼ିକ ବର୍ଣ୍ଣଭିଟା ସମେତ ଅନ୍ୟ ସମସ୍ତ ପାନୀୟକୁ ହେଲ୍ଥ ଡ୍ରିଙ୍କ୍ସ ବର୍ଗରୁ ବାଦ ଦେବା ପାଇଁ କୁହାଯାଇଛି। ବର୍ଣ୍ଣଭିଟାରେ ଗ୍ରହଣଯୋଗ୍ୟ ସ୍ତର ଠାରୁ ଅଧିକ ମାତ୍ରାରେ ଚିନି ରହିଥିବା ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିସନର ତଦନ୍ତରୁ ଜଣାପଡ଼ିବା ପରେ ଏଭଳି ପରାମର୍ଶ ଦିଆଯାଇଛି।
କହିରଖୁଛୁ କି, NCPCR ଅନୁସନ୍ଧାନରୁ ଜାଣିବାକୁ ପାଇଛି ଯେ, କୌଣସି ହେଲଦି ଡ୍ରିଙ୍କ୍ସରେ ଖାଦ୍ୟ ସୁରକ୍ଷା ଏବଂ ମାନକ ଅଧିନିୟମ ଅନୁଯାୟୀ କୌଣସି ପୋଷକ ତତ୍ତ୍ୱ ନାହିଁ। ଦୁଗ୍ଧଜାତୀୟ, ଶସ୍ୟଜାତୀୟ ଏବଂ ବାର୍ଲିଜାତୀୟ ପାନୀୟକୁ ହେଲ୍ଥ ଡ୍ରିଙ୍କ୍ସ ବା ଏନର୍ଜି ଡ୍ରିଙ୍କସ ଭାବେ ଉଲ୍ଲେଖ ନକରିବା ପାଇଁ ଏଫ୍ଏସ୍ଏସ୍ଏଆଇ ଚଳିତମାସରେ ସମସ୍ତ ଇ-କମର୍ସ କମ୍ପାନିଙ୍କୁ କହିଥିଲା। କାରଣ ଦେଶର ଖାଦ୍ୟ ଆଇନରେ ହେଲ୍ଥ ଡ୍ରିଙ୍କ୍ସର କୌଣସି ସଂଜ୍ଞା ନିରୂପଣ ହୋଇନାହିଁ। ତେଣୁ ଏସବୁ ପାନୀୟଙ୍କୁ ହେଲ୍ଥ ଡ୍ରିଙ୍କ୍ସ ବା ସ୍ବାସ୍ଥ୍ୟକର ପାନୀୟ ଭାବେ ଦର୍ଶାଇବା ଆଇନର ଉଲ୍ଲଂଘନ।
Powered by Froala Editor