ମହାକାଶରେ ଚୀନର ନୂଆ ଇତିହାସ : ‘ଲଙ୍ଗ୍ ମାର୍ଚ-ଟୁଏଫ୍’ ରକେଟ୍ ରେ ଗଲେ ୩ ମହାକାଶଚାରୀ
ବିଶ୍ବର ପ୍ରମୁଖ ମହାକାଶ ଶକ୍ତି ଭାବେ ଚୀନ ନିଜକୁ ସାମିଲ କରିଛି । ଚୀନ୍ ତା’ର ନୂତନ ‘ସ୍ପେସ୍ ଷ୍ଟେସନ୍ ସିଆଙ୍ଗୋଙ୍ଗ୍’ ଅଭିମୁଖେ ଆଜି ପ୍ରଥମ କରି ତିନିଜଣ ମହାକାଶଚାରୀଙ୍କୁ ‘ଲଙ୍ଗ୍ ମାର୍ଚ-ଟୁଏଫ୍’ ରକେଟ୍ ଯୋଗେ ପ୍ରେରଣ କରିଛି। ସେଠାରେ ସେମାନେ ପ୍ରାୟ ୩ ମାସ ବାସ କରିବେ । ଚୀନର ଗୋବିସ୍ଥିତ ଜିଉକ୍ବାନ ଲଞ୍ଚ ସେଣ୍ଟରରୁ ଏହି ରକେଟକୁ ଲଞ୍ଚ କରାଯାଇଛି । ଉତକ୍ଷେପଣର ପ୍ରାୟ ୧୦ ମିନଟ ପରେ ଏହା ନିଜର କକ୍ଷପଥରେ ଅବସ୍ଥାନ କରିଥିଲା । ସଫଳ ଉତକ୍ଷେପଣ ପରେ ମହାକାଶଚାରୀମାନେ ବେଶ୍ ଖୁସି ଥିବା ପରିଲକ୍ଷିତ ହୋଇଥିଲା ।
ରାଷ୍ଟ୍ରାୟତ ପ୍ରସାରଣ ସଂସ୍ଥାନ ‘ସିସିଟିଭି’ ଏହି ମହାକାଶ ଯାନର ଅଭ୍ୟନ୍ତର ଦୃଶ୍ୟ ‘ଲାଇଭ୍’ ପ୍ରସାରଣ କରିଥିଲା। ସେଥିରେ ଥିବା ୩ଜଣ ମହାକାଶଚାରୀ ସେମାନଙ୍କ ହେଲ୍ମେଟ୍ କାଚ ଉଠାଇ ଦେଇଥିଲେ। ଜଣେ ମହାକାଶଚାରୀ ମୁରୁକି ହସିବା ସହ କ୍ୟାମେରା ସାମ୍ନାରେ ହାତ ହଲାଉଥିଲେ। ମହାକାଶରେ ମାଧ୍ୟାକର୍ଷଣ ଶକ୍ତି ଶୂନ୍ୟତା ଦେଖାଇବା ଲାଗି ଆଉ ଜଣେ ମହାକାଶଚାରୀ ନିଜ କୋଳ ଉପରେ କଲମଟିଏ ଉଡ଼ନ୍ତା ଅବସ୍ଥାରେ ରଖିବା ସହ ମହାକାଶଯାନର ‘ମାନୁଆଲ୍’ ଖେଳାଉଥିଲେ।
ବେଜିଂ ଏରୋସ୍ପେସ କଣ୍ଟ୍ରୋଲ ସେଣ୍ଟରରୁ ଉତକ୍ଷେପିତ ଏହି ରକେଟର ଠିକ୍ ସମୟରେ ନିଜ କାର୍ଯ୍ୟ ସମ୍ପାଦନ କରିବ ବୋଲି କହିଛନ୍ତି ଜିଉକ୍ବାନ ଲଞ୍ଚ ସେଣ୍ଟରର ନିର୍ଦ୍ଦେଶକ ଝାଙ୍ଗ ଝିଫେନ । ପୂର୍ବରୁ ଦୁଇଟି ସ୍ପେସ ମିଶନରେ ସାମିଲ ହୋଇଥିବା ନି ହାଇସେଙ୍ଗ ବର୍ତ୍ତମାନର ମିଶନରେ ଅଛନ୍ତି କମାଣ୍ଡର ।
Powered by Froala Editor