ଦିଲ୍ଲୀ ଏମ୍ସ ୯ ତାଲାରେ ନିଆଁ
ଦିଲ୍ଲୀ ଏମ୍ସର ୯ ତାଲାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ୯ ତାଲାରେ କୌଣସି ରୋଗୀ ନଥିଲେ ମଧ୍ୟ ନିଆଁ ଏତେମାତ୍ରାରେ ଥିଲା ଯେ, ସମସ୍ତେ ଭୟଭୀତ ହୋଇପଡିଥିଲେ । ଖବର ପାଇ ୨୬ ଟି ଦମକଳ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଛନ୍ତି । ୨ ଘଣ୍ଟା ପରେ ରାତି ପ୍ରାୟ ୧୨.୩୯ରେ ନିଆଁ ଆୟତ୍ତ ହୋଇଛି ।
ହସ୍ପିଟାଲ୍ର ୯ ମହଲାସ୍ଥିତ ‘କନ୍ଭଜେନ୍ସ୍ ବ୍ଲକ୍’ରେ ଅଗ୍ନିକାଣ୍ଡ ଘଟିଥିଲା। ସେଠାରେ ମୁଖ୍ୟତଃ କେତେକ ନିଦାନ ପରୀକ୍ଷାଗାର ଏବଂ ପରୀକ୍ଷଣ କକ୍ଷ ଥାଏ। ଗୋଟାଏ ରେଫ୍ରିଜେରେଟର୍ରେ ସର୍ଟ ସର୍କିଟ୍ ଘଟିବା କାରଣରୁ ରାତି ୧୦ଟା ୩୦ରେ ନିଆଁ ଲାଗିଥିଲା। ସଙ୍ଗେସଙ୍ଗେ ଘଟଣାସ୍ଥଳକୁ ୨୬ଟି ଦମକଳ ବାହିନୀ ପଠାଯାଇଥିଲା । ଏହାପରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିବା ନେଇ ଦମକଳ ଅଧିକାରୀ ସୂଚନା ଦେଇଛନ୍ତି ।
ନିଆଁ ଲାଗିବା ଦ୍ୱାରା ଏଠାରେ କ’ଣ ସବୁ କ୍ଷୟକ୍ଷତି ହୋଇଛି, ତା’ର ଯାଞ୍ଚ କରାଯାଉଥିବା ଡେପୁଟି ଅଗ୍ନିଶମ ଅଧିକାରୀ ସୁନୀଲ ଚୌଧୁରୀ କହିଛନ୍ତି। ଏହି ଘଟଣାରେ କେହି ମୃତାହତ ହୋଇଥିବା ଖବର ମିଳିନାହିଁ।
Powered by Froala Editor