ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହେଲେ ସୁକାନ୍ତ ନାୟକ

ଭୁବନେଶ୍ୱର: ଲୋକସଭା ଓ ବିଧାନସଭା ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ଓଡ଼ିଶା ରାଜନୀତିରେ ଦଳ ଡିଆଁ ପର୍ବ ଜୋର୍ ଧରିଛି । ମାଳ ମାଳ ନେତା ଏ ଦଳର ସେ ଦଳକୁ ଡେଉଁଛନ୍ତି । ପଦ୍ମ ଛାଡ଼ି ଶଙ୍ଖ ଫୁଙ୍କିଛନ୍ତି ନୀଳଗିରି ବିଧାୟକ ସୁକାନ୍ତ ନାୟକ । ରବିବାର ଶଙ୍ଖଭବନରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଶ୍ରୀ ନାୟକ ନିଜ ସମର୍ଥକଙ୍କ ସହ ବିଜେଡିରେ ବିଧିବଦ୍ଧଭାବେ ସାମିଲ ହୋଇଛନ୍ତି ।
ବିଜେଡିରେ ଯୋଗ ଦେବା ପରେ ସୁକାନ୍ତ କହିଛନ୍ତି, ଆମେ ଆରମ୍ଭରୁ ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ । କିନ୍ତୁ ଅଭିମାନରେ ୨୦୧୯ରେ ବିଜେଡି ଛାଡିଥିଲୁ । ଯେଉଁ ଦଳରେ ଯୋଗ ଦେଇଥିଲୁ ସେ ଦଳରେ ଆମ କର୍ମୀଙ୍କୁ ଗୁରୁତ୍ୱ ଦିଆଗଲାନି । କିନ୍ତୁ ପୁଣିଥରେ ବିଜେଡିକୁ ଫେରିବାକୁ ସୁଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ । ଆମର ଘରବାହୁଡା ହୋଇଛି । ନୀଳଗିରିରେ ବିକାଶର ଧାରାକୁ ଆଗକୁ ନେବାକୁ ବିଜେଡିରେ ମିଶିଛି ।
ସୁକାନ୍ତ ବିଜେଡିରେ ଯୋଗଦେବା ସହ ପୁରୁଣା ଘରକୁ ବାହୁଡିଛନ୍ତି । ବିଜେପିରୁ ବିଧାୟକ ଭାବେ ନିର୍ବାଚିତ ହେବା ପୂର୍ବରୁ ୨୦୧୪ରେ ବିଜେଡି ଟିକେଟରେ ବିଧାୟକ ହୋଇଥିଲେ ସୁକାନ୍ତ । ତେବେ ୨୦୧୯ରେ ସୁକାନ୍ତଙ୍କ ଟିକେଟ କାଟିଥିଲା ବିଜେଡି । ତେଣୁ ବିଜେପିରେ ଯୋଗ ଦେବା ସହ ଟିକେଟ ନେଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।
Powered by Froala Editor