ବିଜେଡି ଦଳ ଛାଡ଼ିଲେ ଅନୁଭବ ମହାନ୍ତି

ଭୁବନେଶ୍ୱର: ନିର୍ବାଚନୀ ମାହୋଲ ଭିତରେ ଏବେ ବିଭିନ୍ନ ରାଜନେତା ମୂଳ ଦଳ ଛାଡ଼ୁଥିବା ଦେଖିବାକୁ ମିଳୁଛି । ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜେଡିକୁ ମିଳୁଛି ଗୋଟିଏ ପରେ ଗୋଟିଏ ଶକ୍ତ ଧକ୍କା। ଦଳ ଛାଡୁଛନ୍ତି ବିଜେଡିର ବରିଷ୍ଠ ନେତା, ପୂର୍ବତନ ବିଧାୟକ ଓ ସାଂସଦ। ଏହି କ୍ରମରେ ଜଣେ ପରେ ଜଣେ ନେତା ବିଜେଡି ଛାଡ଼ୁଛନ୍ତି । ପ୍ରଥମେ ପ୍ରିୟଦର୍ଶୀ ମିଶ୍ର, ପରେ ଆକାଶ ଦାସନାୟକ ଓ ଏବେ ଅନୁଭବ ମହାନ୍ତି । ବିଜେଡି ଛାଡ଼ିଛନ୍ତି କେନ୍ଦ୍ରପଡ଼ା ସାଂସଦ ଅନୁଭବ ମହାନ୍ତି । ସେ ନିଜର ଇସ୍ତଫାପତ୍ରକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଦେଇଛନ୍ତି ।
ପ୍ରକାଶ ଯେ ଅନୁଭବ ମହାନ୍ତି ଦୀର୍ଘଦିନ ହେଲା ଦଳରେ କୋଣଠେସା ହୋଇ ରହିଥିଲେ । ନିଜ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ଆଇନଗତ ମାମଲାରେ ଛନ୍ଦି ହେବା ପରେ ଅନୁୁଭବଙ୍କୁ ଦଳ ଏକପ୍ରକାର କୋଣଠେସା କରିଦେଇଥିଲା । ଦିନେ ଦଳର ଷ୍ଟ୍ରାର ପ୍ରଚାରକ ଥିବା ଅନୁଭବଙ୍କୁ ଦଳ ପାଖେଇ ଦେଇଥିବାବେଳେ ବର୍ଷାଙ୍କୁ ନିର୍ବାଚନ ପ୍ରଚାରରେ ଦେଖିବାକୁ ମିଳିଥିଲା । ଏପରିକି ଚଳିତ ନିର୍ବାଚନରେ ତାଙ୍କୁ କେନ୍ଦ୍ରପଡ଼ା ଟିକେଟ ମିଳିନାହିଁ । ତାଙ୍କ ବଦଳରେ ଦଳ ଅଂଶୁମାନ ମହାନ୍ତିଙ୍କୁ ଟିକେଟ ଦେଇଛି । ଯେଉଁଥିପାଇଁ ଅନୁଭବ ଦଳ ଛାଡ଼ିପାରନ୍ତି ବୋଲି ଟିକେଟ ଘୋଷଣା ପରେ ଆଶଙ୍କା କରାଯାଉଥିଲା ।
୨୦୧୯ରେ ବିଜେଡି ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ ଅନୁଭବ ମହାନ୍ତି। ଏହା ପୂର୍ବରୁ ଅନୁଭବ ରାଜ୍ୟସଭା ସଦସ୍ୟ ଥିଲେ। ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେଡି କେନ୍ଦ୍ରାପଡ଼ାରୁ ଅଂଶୁମାନ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି। ଅଂଶୁମାନ କିଛି ଦିନ ତଳେ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିଲେ। ଟିକେଟ୍ କଟିଯିବା ପରେ ଅନୁଭବ ଦଳ ଛାଡ଼ିବେ ବୋଲି ଆଲୋଚନା ହେଉଥିଲା।
Powered by Froala Editor