୨୩୮ ଥର ହାରି ପୁଣି ଲୋକସଭା ପ୍ରାର୍ଥୀ
ଲୋକସଭା ନିର୍ବାଚନରେ ୨୩୮ ଥର ବିଫଳ ହେବା ପରେ ମଧ୍ୟ ପୁଣି ନିର୍ବାଚନରେ ଛିଡ଼ା ହେବାକୁ ସଜବାଜ ହେଉଛନ୍ତି କେ.ପଦ୍ମରାଜନ୍ । ବିଭିନ୍ନ ଦଳ ସେମାନଙ୍କ ପ୍ରାର୍ଥୀ ତାଲିକା ଘୋଷଣା କରି ସାରିଛନ୍ତି। ପ୍ରାର୍ଥୀ ତାଲିକା ଘୋଷଣା ପରେ ନେତା, ମନ୍ତ୍ରୀ, କଳାକାର, ବ୍ୟବସାୟୀ, ଶିଳ୍ପପତି ଓ ସାଧାରଣଲୋକଙ୍କ ମଧ୍ୟରେ ନିର୍ବାଚନକୁ ନେଇ ଏକ ପ୍ରକାର ଉତ୍ସାହ ଦେଖିବାକୁ ମିଳିଛି। ହେଲେ ପଦ୍ମରାଜନ ସମସ୍ତଙ୍କ ଠାରୁ ଅଲଗା । ସେ କେବେ ହାରିବାକୁ ଗ୍ରହଣ କରିନାହାନ୍ତି ।
କେ.ପଦ୍ମରାଜନ ନିଜ ରାଜ୍ୟ ତାମିଲନାଡୁର ମେଟ୍ଟରରୁ ୧୯୮୮ ରେ ନିର୍ବାଚନ ଲଢ଼ିବା ଆରମ୍ଭ କରିଥିଲେ । ଜଣେ ସାଧାରଣ ଲୋକ ମଧ୍ୟ ନିର୍ବାଚନରେ ଭାଗ ନେଇପାରିବେ ସେ ଏହା ପ୍ରମାଣ କରିବାକୁ ଚାହୁଁଛନ୍ତି । ସେଥିପାଇଁ ସେ ବାରମ୍ବାର ବିଫଳତା ସତ୍ତ୍ୱେ ନିର୍ବାଚନରେ ପ୍ରାର୍ଥୀ ହେଉଛନ୍ତି । ପଦ୍ମରାଜନ କହିଛନ୍ତି, ଲୋକଙ୍କର ଟାହିଟାପରା ତାଙ୍କୁ ପଥଭ୍ରଷ୍ଟ କରିପାରିନାହିଁ । ଦିନେ ନା ଦିନେ ସେ ନିର୍ବାଚନ ଜିତିବେ ଏ ବିଶ୍ୱାସ ତାଙ୍କର ରହିଛି ।
ଭାରତର ସବୁଠାରୁ ଅସଫଳ ପ୍ରାର୍ଥୀ ଭାବରେ ପଦ୍ମରାଜନଙ୍କ ନାମ ଲିମକା ବୁକ୍ ଅଫ୍ ରେକର୍ଡରେ ସ୍ଥାନ ମଧ୍ୟ ପାଇଛି। ପଦ୍ମରାଜନଙ୍କ ବୃତ୍ତିଗତ ଜୀବନ କଥା କହିଲେ ସେ ହୋମିଓପାଥିକ୍ ଉପଚାର ସହ ସ୍ଥାନୀୟ ଗଣମାଧ୍ୟମର ସମ୍ପାଦକ ଭାବରେ କାମ କରନ୍ତି। ଏଥିସହିତ ତାଙ୍କର ଏକ ଟାୟାର ମରାମତି ଦୋକାନ ବି ଅଛି।
Powered by Froala Editor