କୋଲକାତା ଏୟାରପୋର୍ଟରେ ଦୁଇଟି ବିମାନ ଧକ୍କା, ୱିଙ୍ଗ୍ କ୍ଷତିଗ୍ରସ୍ତ
କୋଲକାତା ବିମାନବନ୍ଦରରେ ବୁଧବାର ବଡ଼ ଦୁର୍ଘଟଣା ଟଳିଯାଇଛି। ବିହାରର ଦରଭଙ୍ଗା ଅଭିମୁଖେ ବାହାରିଥିବା ଏକ ଇଣ୍ଡିଗୋ ବିମାନ ରନ୍ଓ୍ବେରେ ଚେନ୍ନାଇ ଯିବା ପାଇଁ ଅପେକ୍ଷାରତ ଏକ ଏୟାର ଇଣ୍ଡିଆ ଏକ୍ସପ୍ରେସ୍କୁ ଧକ୍କା ଦେଇଛି। ଫଳରେ ଉଭୟ ଏୟାରକ୍ରାଫ୍ଟର ୱିଙ୍ଗ୍ କ୍ଷତିଗ୍ରସ୍ତ ହୋଇଛି। ଦୁଇଟି ଯାକ ବିମାନ କ୍ଷତିଗ୍ରସ୍ତ ହୋଇଥିଲେ ହେଁ ଏଥିରେ କେହି ମୃତାହତ ହୋଇ ନାହାନ୍ତି।
ସୂଚନା ଅନୁସାରେ, ବୁଧବାର ଦିନ ୧୧.୧୦ରେ ପୂରା ଘଟଣା ଘଟିଛି। ଇଣ୍ଡିଗୋ ବିମାନଟି କୋଲକାତାରୁ ବିହାରର ଦରଭଙ୍ଗା ଯିବାର ଥିଲା। ଏୟାର ଇଣ୍ଡିଆ ଏକ୍ସପ୍ରେସ ଚେନ୍ନାଇ ଅଭିମୁଖେ ଉଡ଼ାଣ ଭରିବାକୁ ଥିଲା। ଦୁର୍ଘଟଣା ବେଳେ ଉଭୟ ବିମାନରେ ଯାତ୍ରୀମାନେ ରହିଥିଲେ। ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରେ ମୋଟ ୧୬୩ ଜଣ ଲୋକ ରହିଥିଲେ। ଏମାନଙ୍କ ମଧ୍ୟରେ କ୍ରୁ ସଦସ୍ୟଙ୍କ ସଂଖ୍ୟା ୬ ରହିଥିଲା। ସେହିପରି ଇଣ୍ଡିଗୋ ବିମାନରେ ୬ କ୍ୟାବିନ କ୍ରୁଙ୍କୁ ମିଶାଇ ୧୪୯ ଜଣ ରହିଥିଲେ। ସେମାନେ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ଧକ୍କା ହେବା ପରେ ଦୁଇଟିଯାକ ବିମାନର ଚଳାଚଳ ରଦ୍ଦ କରାଯାଇଛି। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛି। ଯାଞ୍ଚ ବେଳେ ବିମାନ କର୍ମଚାରୀମାନଙ୍କୁ ପଚରାଉଚରା କରାଯିବ ବୋଲି ଡିଜିସିଏ ପକ୍ଷରୁ କୁହାଯାଇଛି।
ଅନ୍ୟପକ୍ଷେ ବାହ୍ୟ ପରିସ୍ଥିତି ଯୋଗୁ ଏଭଳି ଅସୁବିଧା ହୋଇଥିବା ଦର୍ଶାଇ କ୍ଲିୟରାନ୍ସକୁ ଅପେକ୍ଷା କରିଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ବିମାନ କର୍ତ୍ତୃପକ୍ଷ କ୍ଷମା ମାଗିଛନ୍ତି।
Powered by Froala Editor