ମନ୍ମଥ ରାଉତରାୟ ବିଜେଡିରେ ସାମିଲ ହେବା ପରେ ଏହା କହିଲେ ସୁର

ଭୁବନେଶ୍ୱର: ବିଜେଡିରେ ମିଶିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ। ଆଜି ଶଙ୍ଖ ଭବନରେ ମିଶ୍ରଣ ପର୍ବରେ ବିଧିବଦ୍ଧ ଭାବେ ସେ ବିଜେଡିରେ ଯୋଗ ଦେଇଛନ୍ତି।
ବିଜେଡିରେ ମିଶିବା ପୂର୍ବରୁ ମନ୍ମଥ ଭୁବନେଶ୍ୱର ମାଉସୀମା ମନ୍ଦିର ଛକରୁ ନିଜ କର୍ମୀମାନଙ୍କୁ ନେଇ ଏକ ବିରାଟ ଶୋଭାଯାତ୍ରା କରି ଶଙ୍ଖ ଭବନ ଅଭିମୁଖେ ଆସିଥିଲେ। ସୁର ନିଜ ପୁଅର ଏହି ବିରାଟ ଶୋଭାଯାତ୍ରାରେ ସାମିଲ ହୋଇ ନଥିଲେ। ହେଲେ ସେ ନିଜ ପୁଅ ମନ୍ମଥଙ୍କୁ ଜିତାଇବାକୁ ନିଜର କର୍ମୀମାନଙ୍କୁ ଆହ୍ୱାନ କରିଥିଲେ। ସେ କହିଥିଲେ, ମନ୍ମଥ ଯେଉଁ ଦଳକୁ ଯାଉନା କାହିଁକି ସେ ମୋ ପୁଅ। ତାକୁ ଆମେ ଜିତାଇବା।
ଅନ୍ୟପକ୍ଷରେ ସୁରଙ୍କ ଆର୍ଶୀବାଦ ନେଇ ବିଜେଡିରେ ସାମିଲ ହୋଇଥିବା ମନ୍ମଥ କହିଥିଲେ, ମୋ ବାପା ସୁର ରାଉତରାୟ ଓ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପ୍ରେରଣାରେ ଆଗକୁ ବଢ଼ିବି। ବିଜେଡିରେ ମିଶିବା ତାଙ୍କର ଏକା ନିଷ୍ପତ୍ତି ନୁହେଁ। ଏହା ତାଙ୍କ ପରିବାରର ନିଷ୍ପତ୍ତି ବୋଲି ମନ୍ମଥ କହିଥିଲେ।
ମନ୍ମଥ କେଉଁ ଦଳକୁ ଯିବେ, ତାକୁ ନେଇ ଦୀର୍ଘ ଦିନ ହେଲାଣି ଚର୍ଚ୍ଚା ଲାଗି ରହିଥିଲା । ଶେଷରେ ସେ ବିଜେଡିରେ ସାମିଲ ହୋଇଛନ୍ତି । । ମନ୍ମଥ ଦୀର୍ଘ ଦିନ ଧରି ଏୟାର ଇଣ୍ଡିଆ କ୍ୟାପଟେନ ରହିଥିଲେ । କିଛି ଦିନ ତଳେ ସେ କ୍ୟାପଟେନ ଚାକିରିରୁ ଅବସର ନେଇ ରାଜନୀତିରେ ଏଣ୍ଟ୍ରି କରିଥିଲେ । ଏହାପୂର୍ବରୁ ସୁର ରାଉତରାୟ ଏଥର ନିର୍ବାଚନ ଲଢିବେନି ବୋଲି ସ୍ପଷ୍ଟ କରିଥିଲେ । ସେତେବେଳେ ମନ୍ମଥ କଂଗ୍ରେସ ଟିକେଟରେ ବାପାଙ୍କ ସ୍ଥାନରେ ଜଟଣୀରୁ ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ କଂଗ୍ରେସରୁ ନିର୍ବାଚନ ଲଢିବେନି ବୋଲି ସଫା ସଫା କହି ଦେଇଥିଲେ ମନ୍ମଥ । ପରେ ଦଳୀୟ ଶୃଙ୍ଖଳ ଭଙ୍ଗ ଅଭିଯୋଗରେ ତାଙ୍କୁ କଂଗ୍ରେସରୁ ନିଲମ୍ବନ ମଧ୍ୟ କରାଯାଇଥିଲା ।
ଅନ୍ୟପଟେ ସୁର ସବୁବେଳେ କହି ଆସୁଥିଲେ କି, ତାଙ୍କର ସାନ ପୁଅ କଂଗ୍ରେସରୁ ହିଁ ଲଢିବ । ଏଣେ ମନ୍ମଥ କଂଗ୍ରେସରୁ ଲଢିବେନି ବୋଲି ସ୍ପଷ୍ଟ କରିଥିଲେ । ତେଣୁ ସେ କେଉଁ ଦଳକୁ ଯିବେ ତାକୁ ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ ଏଥିରେ ଆଜି ପୂର୍ଣ୍ଣଚ୍ଛେଦ ପଡିଛି ।
Powered by Froala Editor