ଘରୋଇ କମ୍ପାନୀରେ ଚାକିରି, ହେଲେ କରୁଥିଲେ ବ୍ରାଉନସୁଗର ବେପାର
ବ୍ରାଉନ ସୁଗର ବେପାର କରୁଥିବା ଅଭିଯୋଗରେ ଦୁଇ ଯୁବତୀ ଗିରଫ ହୋଇଛନ୍ତି । ସେମାନେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । କେହି ସୁରାକ ବି ପାଇନଥିଲେ ଯେ, ଏମାନେ ବ୍ରାଉନସୁଗର ବେପାରରେ ଅଛନ୍ତି ବୋଲି । ହେଲେ ବାଲେଶ୍ୱରରୁ ମିଳିଥିବା ତଥ୍ୟ ଅନୁଯାୟୀ ପୁଲିସ ଖଣ୍ଡଗିରି ଯଦୁପୁରରେ ରେଡ୍ କରି ପ୍ରଜ୍ଞା ପ୍ରିୟା ସ୍ୱାଇଁ ଓ କରିଶ୍ମା ରାଉତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ପୁରୀ ଜିଲ୍ଲା କୋଣାର୍କ ଅଞ୍ଚଳର ପ୍ରଜ୍ଞା ପ୍ରିୟା ସ୍ୱାଇଁ ଓ ବାଲେଶ୍ଵର ଜିଲ୍ଲା ବସ୍ତା ଅଞ୍ଚଳର କରିଶ୍ମା ରାଉତ। ଉଭୟ ଉଚ୍ଚ ଶିକ୍ଷିତ। ଖଣ୍ଡଗିରି ଥାନା ଯଦୁପୁର ଗାଁରେ ଘର ଭଡ଼ା ନେଉ ରହୁଥିଲେ। ଉଭୟ ଏକ ପ୍ରାଇଭେଟ୍ କମ୍ପାନୀରେ ଚାକିରି କରୁଥିଲେ। ହେଲେ ସେମାନଙ୍କ ପେଶା ପାଲଟିଥିଲା ବ୍ରାଉନ୍ସୁଗର ବେପାର। ଦୀର୍ଘ ବର୍ଷେରୁ ଅଧିକ ସମୟ ଧରି ଦୁଇ ସୁନ୍ଦରୀ ଧଳା ଜହର କାରବାରରେ ଲିପ୍ତ ରହୁଥିଲେ। ସେମାନେ ନିଜେ ଖାଇବା ସହିତ ବେପାରରେ ଲିପ୍ତ ରହୁଥିଲେ। ରାଜଧାନୀର ଏକ ବ୍ରାଉନ୍ସୁଗର ବେପାରୀଠାରୁ ଆଣି କାରବାର କରୁଥିଲେ। ଉଭୟଙ୍କ ଠାରୁ ୨୬ ଲକ୍ଷ ଟଙ୍କାରୁ ଅଧିକ ବ୍ରାଉନସୁଗାର ଜବତ କରିଛି ପୋଲିସ । ଏନେଇ ସୂଚନା ଦେଇଛନ୍ତି ପୁଲିସ୍ କମିଶନର ସଞ୍ଜୀବ ପଣ୍ଡା।
Powered by Froala Editor