୫ ବରିଷ୍ଠ ଓଏଏସ ଅଫିସର ବଦଳିଲେ
ଭୁବନେଶ୍ୱର: ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ବଦଳିଛନ୍ତି ୫ ବରିଷ୍ଠ ଓଏଏସ ଅଫିସର ।ନିର୍ବାଚନ କମିଶନଙ୍କ ଗାଇଡଲାଇନ ଆଧାରରେ ଏହି ଅଧିକାରୀଙ୍କ ବଦଳି ହୋଇଛି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଓଏସଡି ଭାବେ ଡେପୁଟେସନରେ ଯାଇଥିବା ବରିଷ୍ଠ ଓଏଏସ ଅଫିସର ଜ୍ୟୋତି ଶଙ୍କର ମହାପାତ୍ରଙ୍କୁ ପୁନର୍ବାର ଆଇନ ବିଭାଗକୁ ଫେରାଇ ଅଣାଯାଇଛି । ସେ ଆଇନ ବିଭାଗରେ ଯୁଗ୍ମ ସଚିବ ଭାବେ ଏବେ କାର୍ୟ୍ୟ କରିବେ ।
ସେହିପରି କେନ୍ଦୁଝର ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରଶାସନିକ ଅଫିସର ରାମଚନ୍ଦ୍ର କିସକୁଙ୍କୁ ରାଜ୍ୟ ଇସ୍ପାତ ଓ ଖଣି ବିଭାଗର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି । ଗଞ୍ଜାମ ଆରଆଇସିରେ ଜେନେରାଲ ମ୍ୟାନେଜର ଭାବେ କାର୍ୟ୍ୟରତ ବରିଷ୍ଠ ଓଏଏସ ପ୍ରସନ୍ନ କୁମାର ପାତ୍ରଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତବିଦ୍ୟା ବିଭାଗର ଯୁଗ୍ମ ସଚିବ ଭାବେ ସ୍ଥାନାନ୍ତର କରାଯାଇଛି । ସେହିପରି ଆସିକା ସମବାୟ ଚିନିକଳର ପରିଚାଳନା ନିର୍ଦ୍ଦେଶକ ଗାୟତ୍ରୀ ଦତ୍ତ ନାୟକଙ୍କୁ ଓସଡମା ଡେପୁଟି ଜେନେରାଲ ମ୍ୟାନେଜର ଭାବେ ବଦଳି କରାଯାଇଛି ।
ବ୍ରହ୍ମପୁର ସିଡିଏମଓ ଅଫିସରେ ପ୍ରଶାସନିକ ଅଫିସର ଓଏଏସ ସୁବ୍ରତ କୁମାର ଜେନାଙ୍କୁ ଇଡକୋ ଲ୍ୟାଣ୍ଡ ଅଫିସର ଭାବେ ଭୁବନେଶ୍ୱର ବଦଳି ହୋଇଛି । ନିର୍ବାଚନ ଆୟୋଗର ନିର୍ଦ୍ଦେଶାବଳୀ ଅନୁଯାୟୀ ଓଏଏସ ଅଧିକାରୀଙ୍କୁ ସ୍ଥାନାନ୍ତର କରାଯାଇଛି ବୋଲି ବିଜ୍ଞପ୍ତିରେ କୁହାଯାଇଛି । କିଛି ଦିନ ପୂର୍ବେ ବିଜେପିର ଓଡ଼ିଶା ଶାଖା ପକ୍ଷରୁ କିଛି ଅଧିକାରୀଙ୍କ ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ ହୋଇଥିଲା । ଯାହା ପରେ ଏହି ଅଧିକାରୀଙ୍କ ବଦଳି ହୋଇଥିବା ଜଣାପଡ଼ିଛି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗୁରୁବାର ଓଡ଼ିଶାର ୨ ଜଣ ଏସପି ଓ ଜଣେ ଜିଲ୍ଲାପାଳଙ୍କ ବଦଳି ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଥିଲେ ।
Powered by Froala Editor