ସୁନ୍ଦରଗଡ଼ରେ ଆସି ପହଞ୍ଚିଲା ମଧ୍ୟପ୍ରଦେଶର ମହାବଳ ବାଘ
ଭୁବନେଶ୍ବର : ମଧ୍ୟପ୍ରଦେଶର ମହାବଳ ବାଘ ଦୀର୍ଘ ପ୍ରାୟ ଏକ ହଜାର କି.ମି. ଅତିକ୍ରମ କରି ସୁନ୍ଦରଗଡ଼ ଜଙ୍ଗଲରେ ପହଞ୍ଚିଛି। ଓଡ଼ିଶାର ପରିବେଶ ଓ ସହନଶୀଳ ବାସସ୍ଥାନ ପାଇଁ ମହାବଳ ବାଘ ଏଠାକୁ ଚାଲି ଆସିଛି। ଜଙ୍ଗଲ ବିଭାଗ ପକ୍ଷରୁ ଲଗାଯାଇଥିବା ଟ୍ରାପ କ୍ୟାମେରାରେ ଏହା ଧରାପଡିଥିଲା। ଏହାକୁ ଜାତୀୟ ବ୍ୟାଘ୍ର ସଂରକ୍ଷକ କର୍ତ୍ତୃପକ୍ଷ(ଏନଟିସିଏ) ମଧ୍ୟ ସ୍ପଷ୍ଟ କରିଛନ୍ତି ବୋଲି ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ବନ୍ୟପ୍ରାଣୀ) ଡ. ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି। ସୋମବାର ଡ. ନନ୍ଦ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏନେଇ ପୋଷ୍ଟ କରିବା ସହିତ କହିଛନ୍ତି ଯେ, ଦୀର୍ଘ ଦୁଇ ଦଶନ୍ଧି ପରେ ସୁନ୍ଦରଗଡ଼ ଜଙ୍ଗଲରେ ମଧ୍ୟପ୍ରଦେଶର ମହାବଳ ବାଘ ପହଞ୍ଚିବା ନେଇ ଜାତୀୟ ବ୍ୟାଘ୍ର ସଂରକ୍ଷକ କର୍ତ୍ତୃପକ୍ଷ ସ୍ପଷ୍ଟ କରିବା ରାଜ୍ୟ ପାଇଁ ଏକ ଖୁସିର କଥା। ମଧ୍ୟପ୍ରଦେଶର ସଞ୍ଜୟ ଡୁବ୍ରି ଟାଇଗର ରିଜର୍ଭରୁ ଏହି ମହାବଳ ବାଘଟି ଦୀର୍ଘପଥ ଅତିକ୍ରମ କରି ଆସିଛି । ନିଜର ସ୍ବତନ୍ତ୍ର ଇଲାକା ପ୍ରସ୍ତୁତ କରିବା ପାଇଁ ମଧ୍ୟପ୍ରଦେଶରୁ ଶହଶହ କିଲୋମିଟର ଚାଲି ଚାଲି ଆସିଛି, ଯାହାକି ପ୍ରକୃତିପ୍ରେମୀଙ୍କ ପାଇଁ ନୂଆ ଉତ୍ସାହ ଆଣି ଦେଇଛି। ସୂଚନାଯୋଗ୍ୟ ଯେ, ଓଡ଼ିଶାରେ ଏବେ ୩୦ଟି ବାଘ ରହିଛନ୍ତି। ଏଥିମଧ୍ୟରୁ ୮ଟି ଛୁଆ ବାଘ ଅଛନ୍ତି। ଅଲ ଓଡିଶା ଟାଇଗର ଏଷ୍ଟିମେସନ ଅନୁସାରେ ମୋଟ ବାଘ ମଧ୍ୟରୁ ୧୪ଟି ବାଘୁଣୀ ଓ ୧୩ଟି ବାଘଙ୍କୁ କ୍ୟାମେରା ଜରିଆରେ ଠାବ କରାଯାଇଥିବାବେଳେ ଆଉ ୩ଟି ବାଘ ଶିମିଳିପାଳରେ ଥିବା ସୂଚନା ମିଳିଛି। ଏହି ୩ ବାଘଙ୍କୁ କ୍ୟାମେରା ଜରିଆରେ ଠାବ କରାଯାଇପାରି ନଥିବା ପିସିସିଏଫଙ୍କ ପକ୍ଷରୁ କୁହାଯାଇଛି।
Powered by Froala Editor