କାଳବୈଶାଖୀ ପ୍ରଭାବରେ ମଙ୍ଗଳବାରଠୁ ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର: କାଳବୈଶାଖୀ ପ୍ରଭାବରେ ମଙ୍ଗଳବାରଠୁ ଦୁଇ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନାନୁସାରେ ବଙ୍ଗୋପସାଗର ଉପକୂଳସ୍ଥ ଗୁରୁଚାପ ବଳୟ ଏବଂ ବାୟୁମଣ୍ଡଳର ଉପରିଭାଗରେ ଏକ ନିମ୍ନ ଚାପ ରେଖା ସୃଷ୍ଟି ହେବ। ଏହାର ପ୍ରଭାବରେ ୧୯ ତାରିଖ ବେଳକୁ ରାଜ୍ୟର କିଛି ଜିଲାରେ କାଳବୈଶାଖୀ ହେବ। ଏହି ସମୟରେ ଝଡ଼- ପବନ ଘଣ୍ଟା ପ୍ରତି ୪୦ରୁ ୫୦ କିମି ସହ କୁଆପଥର ବର୍ଷା ଏବଂ କିଛି ଜିଲାରେ ଭାରି ବର୍ଷାର ସମ୍ଭାବନା ଥିବାରୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବିଜୁଳି ଘଡ଼ଘଡ଼ି ସମୟରେ ନିଜକୁ ନିରାପଦ ସ୍ଥାନରେ ସୁରକ୍ଷିତ କରିବା ଅତ୍ୟନ୍ତ ଜରୁରୀ। ଏହି ସମୟରେ ଗଛ ତଳ, ବିଦ୍ୟୁତ ଖୁଣ୍ଟ ବା ତାର ତଳେ କିମ୍ବା ଖୋଳା ଆକାଶ ତଳେ ନ ରହି ନିରାପଦ ସ୍ଥାନରେ ଆଶ୍ରୟ ନେବାକୁ ପରାମର୍ଶ ଦିଆଯାଇଛି। ଗତ ୨୪ ଘଣ୍ଟାରେ ଜି ଉଦୟଗିରିରେ ୫୯ ମି,ମି., ଗାଇସିଲଟରେ ୫୫ ମି.ମି., ବୁଗୁଡ଼ାରେ ୫୩ ମି.ମି., ପୋଲସରାରେ ୩୫.୬ ମି.ମି., ବହଳଦାରେ ୩୦.୪ ମି.ମି., ବାଲିଶଙ୍କରାରେ ୨୫ ମି.ମି., ରାସଗୋବିନ୍ଦପୁରରେ ୨୪ ମି.ମି., ଭୋଗରାଇରେ ୨୨ମି.ମି., ଆସିକାରେ ୨୦.୨ ମି.ମି ଏବଂ ଯୋଡାରେ ୨୦.୧ ମି.ମି. ବର୍ଷା ରେକର୍ଡ଼ ହୋଇଛି। ସେହିପରି ୧୮ରୁ ୧୯ ତାରିଖ ପାଇଁ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଅନୁଗୋଳ, ଢେଙ୍କାନାଳ ଏବଂ ଦେବଗଡ଼ ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି।
Powered by Froala Editor