ଲୋକଙ୍କ ଅଭିଯୋଗ ଶୁଣି ହସ୍ପିଟାଲରେ ପହଞ୍ଚିଲେ ଉପଜିଲ୍ଲାପାଳ : ଓଢ଼ଣୀ ଟାଣି ଧାଡ଼ିରେ ଠିଆ ହେଲେ, ସ୍ଥିତି ପରଖିଲେ

ସରକାରୀ ହସ୍ପିଟାଲରେ ରୋଗୀ ଘଣ୍ଟା ଘଣ୍ଟା ଧରି ଲାଇନ୍ରେ ଛିଡ଼ା ହେଉଛନ୍ତି। ଡାକ୍ତର ରୋଗୀଙ୍କୁ ଉଚିତ ବ୍ୟବହାର ପ୍ରଦର୍ଶନ କରୁ ନଥିବା ବେଳେ ଡାକ୍ତରଖାନାରେ ଅଧିକାଂଶ କର୍ମଚାରୀ ଉପସ୍ଥିତ ରହୁ ନାହାନ୍ତି। ବାରମ୍ବାର ଏପରି ଅଭିଯୋଗ ହେବା ପରେ ମୁଣ୍ଡରେ ଓଢ଼ଣୀ ଟାଣି ସ୍ଥିତି ପରଖିବାକୁ ପହଞ୍ଚିଲେ ଉତ୍ତରପ୍ରଦେଶର ଫିରୋଜାବାଦର ଉପଜିଲ୍ଲାପାଳ କୃତି ରାଜ।
ଏକ ସ୍ବାସ୍ଥ୍ୟକେନ୍ଦ୍ରର ବ୍ୟବସ୍ଥାକୁ ନେଇ ବାରମ୍ବାର ଅଭିଯୋଗ ହେଉଥିଲା। ତେବେ ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ରର ବାସ୍ତବ ଚିତ୍ର କ’ଣ ତାହା ପରଖିବା ପାଇଁ ଉପଜିଲ୍ଲାପାଳ ନିଜ ମୁହଁକୁ ଲୁଚାଇ ସାଧାରଣଲୋକଙ୍କ ଭଳି ଭିତରକୁ ପ୍ରବେଶ କରିଥିଲେ। ଏହାପରେ ତାଙ୍କ ସହିତ ସ୍ବାସ୍ଥ୍ୟକେନ୍ଦ୍ରରେ ଯାହା ଘଟିଥିଲା ତାକୁ ଉପଜିଲ୍ଲାପାଳ ନିଜେ ବଖାଣିଛନ୍ତି।
କୃତି ରାଜ କହିଛନ୍ତି, ’ଦିଦାମଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉପଯୁକ୍ତ ସ୍ୱାସ୍ଥ୍ୟସେବା ମିଳୁ ନ ଥିବା ନେଇ ଅନେକ ଦିନ ହେବ ଅଭିଯୋଗ ଶୁଣି ଆସୁଥିଲି। ଏପରିକି କୁକୁର କାମୁଡ଼ା ଇଞ୍ଜେକସନ ପାଇଁ ଆସୁଥିବା ରୋଗୀଙ୍କ ସହ ଉଚିତ ବ୍ୟବହାର କରାଯାଉ ନ ଥିବା ବି ଅଭିଯୋଗ ହେଉଥିଲା। ରୋଗୀ ୧୦ଟାରୁ ରୋଗ ଦେଖାଇବାକୁ ଧାଡ଼ି ଲଗାଉଥିବା ବେଳେ ଠିକ ସମୟରେ ଡାକ୍ତରଙ୍କ ଦେଖା ନଥାଏ। ତେଣୁ ହସ୍ପିଟାଲର ବାସ୍ତବ ଚିତ୍ର କ’ଣ ଜାଣିବାକୁ ହେଲେ ମୋତେ ଯିବାକୁ ପଡ଼ିବ ବୋଲି ସ୍ଥିର କରିଥିଲି। କିନ୍ତୁ କେମିତି ଯିବ। ମୋ ଯିବା କଥା ଜାଣିଲେ ସ୍ବାସ୍ଥ୍ୟକେନ୍ଦ୍ରର ଯେଉଁସବୁ ତ୍ରୁଟି ଅଛି ତାକୁ କର୍ମଚାରୀମାନେ ତ ସଜାଡ଼ି ଦେବେ କିଛି ଲାଭ ହେବ ନାହିଁ। ତେଣୁ କାହାକୁ କିଛି ନଜଣାଇ ମୁହଁରେ ଓଢ଼ଣୀ ପକାଇ ହଠାତ ଯାଇ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଯାଇଥିଲି।
ପହଞ୍ଚିବା ପରେ ଲୋକେ ଯେଉଁ ସବୁ ଅଭିଯୋଗ କରୁଥିଲେ ସ୍ବାସ୍ଥ୍ୟକେନ୍ଦ୍ରରେ ମୋ ସହିତ ସମାନ ଘଟଣା ଘଟିଥିଲା। ଯେମିତି କି ଟିକେଟ କାଟି ଅନେକ ସମୟ ଧରି ଧାଡ଼ିରେ ଛିଡ଼ା ହେବା ପରେ ଯାଇ ଡାକ୍ତର ଆସିଥିଲେ। ଡାକ୍ତରଙ୍କ ପାଖକୁ ଯାଇଥିବା ବେଳେ ତାଙ୍କଠୁ ଉଚିତ ବ୍ୟବହାର ପାଇ ପାରି ନଥିଲେ। ଏହାପରେ ରେଜିଷ୍ଟର ଯାଞ୍ଚ କରିବାରୁ ବହୁ କର୍ମଚାରୀଙ୍କ ଦସ୍ତଖତ ଥିବା ବେଳେ ସେମାନଙ୍କ ଦେଖା ନ ଥିଲା।
ମେଡିସିନ ଷ୍ଟକ୍ ଚେକ୍ କରିବାକୁ ବହୁ ଷ୍ଟକ୍ ଏକ୍ସପାରୀ ହୋଇ ଯାଇଥିବା ଦେଖିବାକୁ ପାଇଲେ। ହସ୍ପିଟାଲରେ ଆଡମିଟ ହୋଇଥିବା ରୋଗୀଙ୍କୁ ଠିକ୍ ଭାବେ ଇଞ୍ଜେକସନ୍ ଦିଆଯାଉ ନ ଥିବା ବି ଦେଖିବାକୁ ମିଳିଥିଲା। ମୁଣ୍ଡରେ ଓଢ଼ଣୀ ଟାଣି ରୋଗୀଙ୍କ ସହ କଥା ହୋଇ ସେମାନଙ୍କ ସମସ୍ୟା ବୁଝିଥିଲେ ଉପଜିଲ୍ଲାପାଳ। ଇତି ମଧ୍ୟରେ ହସ୍ପିଟାଲ କର୍ମଚାରୀ ତାଙ୍କୁ ଚିହ୍ନି ଦେଇଥିଲେ। ଅବ୍ୟବସ୍ଥା ସମ୍ପର୍କରେ କୃତି ରାଜ ପଚାରିବାରୁ ଡାକ୍ତରଙ୍କଠାରୁ ଆରମ୍ଭ କରି ସୁଇପର ସମସ୍ତେ ନିଜେ ଦୋଷମୁକ୍ତ ହୋଇ ଅନ୍ୟ ମୁଣ୍ଡରେ ଅଠା ବୋଳିବାରେ ବ୍ୟସ୍ତ ଥିଲେ। ଏସବୁ ଭିତରେ ସ୍ବାସ୍ଥ୍ୟକେନ୍ଦ୍ରର ଅବସ୍ଥା କ’ଣ ତାହା ଜାଣି ପାରିଥିଲେ ଉପଜିଲ୍ଲାପାଳ। ଉପଜିଲ୍ଲାପାଳ କୃତି ରାଜ ନିଜ କାର୍ଯ୍ୟଶୈଳୀ ପାଇଁ ଏବେ ଚର୍ଚ୍ଚାରେ ଅଛନ୍ତି।
Powered by Froala Editor