ପାକିସ୍ତାନୀ ବୋଟରୁ ୪୮୦ କୋଟିର ଡ୍ରଗ୍ସ ଜବତ

ଗୁଜରାଟର ପୋରବନ୍ଦର ଉପକୂଳରୁ ୩୫୦ କିଲୋମିଟର ଦୂର ଆରବସାଗରରୁ ଏକ ପାକିସ୍ତାନୀ ବୋଟରୁ ବିପୁଳ ପରିମାଣର ଡ୍ରଗ୍ସ ଜବତ ହୋଇଛି । ଡଙ୍ଗା ସହ ଏଥିରେ ଥିବା ୬ ଜଣ ପାକିସ୍ତାନୀଙ୍କୁ ସୁରକ୍ଷାକର୍ମୀ ଗିରଫ କରିଛନ୍ତି। ଏଥିସହ ଡଙ୍ଗାରେ ରହିଥିବା ୪୮୦ କୋଟି ଟଙ୍କାର ଡ୍ରଗ୍ସ ମଧ୍ୟ ଜବତ କରାଯାଇଛି।
ସୂଚନା ଆଧାରରେ ଭାରତୀୟ ତଟରକ୍ଷୀ ବାହିନୀ, ଏନସିବି ଏବଂ ଏଟିଏସ ଏକ ମିଳିତ ଅପରେସନ କରି ମାର୍ଚ୍ଚ ୧୧-୧୨ ମଧ୍ୟରାତ୍ରିରେ ଏକ ପାକିସ୍ତାନୀ ଡଙ୍ଗାକୁ ଜବତ କରିଥିଲେ। ତଟରକ୍ଷୀ ବାହିନୀ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଆରବ ସାଗରରେ ପ୍ୟାଟ୍ରୋଲିଂ ଚାଲିଥିଲା। ସମୁଦ୍ର ଓ ଆକାଶ ପଥରେ ସୁରକ୍ଷାକର୍ମୀମାନେ ବୁଲିବୁଲି ଯାଞ୍ଚ କରୁଥିଲେ। ଏହି ସମୟରେ ପୋରବନ୍ଦର ଠାରୁ ୩୫୦ କିମି ଦୂରରେ ସନ୍ଦିଗ୍ଧ ଗତିବିଧି ଦେଖିବାକୁ ମିଳିଥିଲା। ଏହାପରେ ଭାରତୀୟ ତଟରକ୍ଷୀ ବାହିନୀ ଓ ଅନ୍ୟ ସୁରକ୍ଷା ଏଜେନ୍ସି ପକ୍ଷରୁ ଅପରେସନ ଆରମ୍ଭ କରିଥିଲେ।
ଅପରେସନରେ ତଟରକ୍ଷୀ ବାହିନୀ ସହ ଏନସିବି ଓ ଗୁଜରାଟ ପୁଲିସ୍ର ଆତଙ୍କବାଦ ନିରୋଧ ସ୍କ୍ୱାଡ ମଧ୍ୟ ସାମିଲ ହୋଇଥିଲେ। ଭାରତୀୟ ସୁରକ୍ଷାକର୍ମୀଙ୍କୁ ଦେଖିବା ମାତ୍ରେ ଖସି ଯିବାକୁ ଚେଷ୍ଟା କରି କରିଥିଲା ଉକ୍ତ ବୋଟ। ହେଲେ ଭାରତୀୟ ସୁରକ୍ଷାକର୍ମୀଙ୍କ ପଞ୍ଝାରୁ ଖସିବା ସହଜ ହୋଇନାହିଁ। ସେଥିରେ ୬ ଜଣ କର୍ମଚାରୀ ଥିଲେ। ସେମାନଙ୍କ ଠାରୁ ପାଖାପାଖି ୪୮୦ କୋଟି ଟଙ୍କାର ନିଶା ଦ୍ରବ୍ୟ ଜବତ ହୋଇଛି।
Powered by Froala Editor