ରାମଚନ୍ଦ୍ର ବେହେରା ହତ୍ୟା ମାମଲା : ୫ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ
୨୦୧୯ ମସିହା ମାର୍ଚ୍ଚ ମାସ ୨୫ ତାରିଖରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ରାମଚନ୍ଦ୍ର ବେହେରାଙ୍କୁ ହତ୍ୟା କରାଯାଇଥିଲା । ରାମଚନ୍ଦ୍ର ବେହେରା ହତ୍ୟା ମାମଲରେ ୫ ଜଣ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡାଦେଶ ସଜା ଶୁଣାଇଛନ୍ତି ଆନନ୍ଦପୁର ଅତିରିକ୍ତ ଦୌରାଜଜ କୋର୍ଟ ।
୨୦୧୯ ମସିହାରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଥିଲା। ୨୦୧୯ ମସିହା ମାର୍ଚ୍ଚ ୨୫ ତାରିଖ ଘରେ ଥିଲେ ଆନନ୍ଦପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ରାମଚନ୍ଦ୍ର ବେହେରା। ରାତି ପ୍ରାୟ ସାଢ଼ ୧୦ଟା ବେଳେ ତାଙ୍କ ଘରେ ପହଞ୍ଚିଥିଲେ ଏକତାଳି ଗାଁର ଅଜିତ ପୃଷ୍ଟି, ସଞ୍ଜୀବ ପୃଷ୍ଟି, ଅଲେଖ ପୃଷ୍ଟି, ଅରୁଣ ପୃଷ୍ଟି ଓ ଦୋଳ ବୋଇତେଇ। ବିଭିନ୍ନ ବାହାନା କରି ତାଙ୍କୁ ଘରୁ ଡାକି ଆଣିଥିଲେ। ପରେ ତାଙ୍କୁ ତାଙ୍କ ଘର ଆଗରେ ଅତି ବୀଭତ୍ସ ଭାବେ ହତ୍ୟା କରିଥିଲେ। ହତ୍ୟା ପରେ ରାମଚନ୍ଦ୍ର ବେହେରାଙ୍କ ହାତ ଓ ଗୋଡ଼କୁ କାଟି ନେଇଥିଲେ।
୫ ଅଭିଯୁକ୍ତ ରାମଚନ୍ଦ୍ରଙ୍କ ହାତ ଓ ଗୋଡ଼କୁ ଧରି ବାଇକ୍ରେ ଗାଁରେ ଚକ୍କର କାଟିଥିଲେ। ପରେ ନିକଟସ୍ଥ ଜଙ୍ଗଲକୁ ଯାଇ ରାମଚନ୍ଦ୍ରଙ୍କ ଗୋଡ ଓ ହାତକୁ କାଟି ଭକ୍ଷଣ କରିବା ଅଭିଯୋଗ ହୋଇଥିଲା। ସେହି ରାତିରେ ରାମଚନ୍ଦ୍ରଙ୍କ ଝିଅ ଘଷିପୁରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ୍ ମାମଲା ରୁଜୁ କରି ୫ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।
ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି। ୫ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଆନନ୍ଦପୁର ଅତିରିକ୍ତ ଜିଲ୍ଲା ଦୌରାଜଜ।
Powered by Froala Editor