୨୦ ହଜାର କୋଟିର ପ୍ରକଳ୍ପ ଭେଟି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରୁ ହେଲିକପ୍ଟର ଯୋଗେ ସିଧା ଚଣ୍ଡିଖୋଲର ବେଣାପୁର ସଭାସ୍ଥଳକୁ ଯାଇଥିଲେ। ସେଠାରେ ଅନୁଷ୍ଠିତ ଲୋକାର୍ପଣ ଓ ଶିଳାନ୍ୟାସ ଆଦି ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇ ମୋଦି ଚଣ୍ଡିଖୋଲରେ ୧୯,୬୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଏକାଧିକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି।
ଯାଜପୁର ଜିଲ୍ଲା ଚଣ୍ଡିଖୋଲରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଓଡିଶାର ଯାଜପୁରରେ ବିକାଶର ନୂଆ ଧାରା ବହିବା ଆରମ୍ଭ ହୋଇଛି। ବିଜୁ ବାବୁଙ୍କର ଜନ୍ମଜୟନ୍ତୀ ଅବସର ଥିବାରୁ ଓଡ଼ିଶାର ବିକାଶ ଲାଗି, ଦେଶର ବିକାଶ ଲାଗି ବିଜୁବାବୁଙ୍କ ଯୋଗଦାନ ଅପୂରଣୀୟ ରହିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।
ପ୍ରଧାନମନ୍ତ୍ରୀ କହିଛନ୍ତି, ୨୦୧୪ ମସହିା ପୂର୍ବରୁ ଅଟକି ଥିବା ପ୍ରକଳ୍ପଗୁଡ଼ିକର କାମ ଅଧିକ ତ୍ବରାନ୍ବିତ ହୋଇଛି। ଆମ ସରକାର ପାରାଦୀପ ରିଫାଇନାରି ପ୍ରକଳ୍ପକୁ ପୂରା କରିଛି। ପୂର୍ବ ଭାରତର ପ୍ରାକୃତିକ ସମ୍ବଳକୁ ବ୍ୟବହାର କରି ବିକାଶ କରାଯାଇଛି। ପୂର୍ବ ଭାରତର ବିଭିନ୍ନ ରାଜ୍ୟକୁ ଅଧିକରୁ ଅଧିକ ଫୋକସ କରାଯାଉଛି । ପୂର୍ବ ତୁଳନାରେ ଅଧିକ ଦ୍ରୁତ ଗତିରେ ବିକାଶମୂଳକ ପ୍ରକଳ୍ପର କାମ ହେଉଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ।
Powered by Froala Editor