ବରପଦା ଇଞ୍ଜିନିୟରିଂ କଲେଜ ଜମି ମାମଲା, ଇଡିରେ ହାଜର ହେଲେ ପ୍ରଫୁଲ୍ଲ ସାମଲ

ଭୁବନେଶ୍ୱର: ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ ଗୁରୁବାର ଇଡିରେ ହାଜର ହୋଇଛନ୍ତି । ବରପଦା ଇଞ୍ଜିନିୟରିଂ କଲେଜ ଜମି ମାମଲାରେ ଶ୍ରୀ ସାମଲ ଆଜି ଇଡିରେ ହାଜର ହୋଇଛନ୍ତି । ପ୍ରଫୁଲ୍ଲ ସାମଲଙ୍କ ସମେତ ତାଙ୍କ ପୁଅକୁ ହାଜର ହେବାକୁ ପୂର୍ବରୁ ଇଡି ନୋଟିସ କରିଥିଲା । ପୂର୍ବରୁ ଇଡି ପ୍ରଫୁଲ୍ଲ ଓ ତାଙ୍କ ପୁଅଙ୍କ ଘରେ ରେଡ କରିଥିଲା ।
ପ୍ରକାଶ ଯେ ଗତ ୧୫ ତାରିଖରେ ଇଡି ପ୍ରଫୁଲ୍ଲ ସାମଲଙ୍କ ଘରେ ଚଢଉ କରିଥିଲା । ଭଦ୍ରକର ୪ଟି ସ୍ଥାନ ସମେତ ଭୁବନେଶ୍ବରରେ ଚଢାଉ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଦୀର୍ଘ ୧୫ ଘଣ୍ଟା ପରେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଭଦ୍ରକ ନୂଆ ବଜାରସ୍ଥିତ ବାସ ଭବନରୁ ବାହାରିଥିଲେ ଇଡି ଅଧିକାରୀ । ବରପଦା ଇଞ୍ଜିନିୟରିଂ କଲେଜ ବିଷୟରେ ସେମାନେ ପଚରାଉଚରା କରିଥିଲେ ବୋଲି କହିଥିଲେ ପ୍ରଫୁଲ ସାମଲ । ସେହିପରି ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତିଙ୍କ ଘରୁ ଇଡି ୧୦ ଲକ୍ଷ ଟଙ୍କା ଜବତ କରିଥିଲା । ପ୍ରଫୁଲ୍ଲ ସାମଲ କହିଥିଲେ, "ମୋ ସହିତ ରାଜନୈତିକ ଶତ୍ରୁତା ରଖିବା ସହ ଆଗାମୀ ନିର୍ବାଚନରେ ହରାଇବା ପାଇଁ ମୋ ବିରୋଧରେ ଷଡଯନ୍ତ୍ର କରି ଘରେ ଇଡି ଚଢ଼ାଉ କରାଯାଇଛି । ଇଡିରେ ଥିବା ରାଜ୍ୟ ଅଧିକାରୀ ତପନ ବାବୁ ଆସିଥିଲେ ଏବଂ ତାଙ୍କର ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ମୋତେ ବରପଦା ଇଞ୍ଜିନିୟରିଂ କଲେଜ ବିଷୟରେ କିଛି ପ୍ରଶ୍ନ ପଚାରିଲେ । ଯାହାର ଉତ୍ତର ମଧ୍ୟ ମୁଁ ଦେଇଥିଲି । ଇଡି ଅଧିକାରୀମାନେ କୌଣସି ପ୍ରକାର ଅସୁବିଧା ମୋ ସହିତ କରିନଥିଲେ । "ଅନ୍ୟପକ୍ଷରେ କୌଣସି ଷଡଯନ୍ତ୍ର ତାଙ୍କୁ ପ୍ରତିହତ କରିପାରିବ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ବିଧାୟକ ପ୍ରଫୁଲ୍ଲ ସାମଲ। ତେବେ କିଛି ଗଣମାଧ୍ୟମରେ ସେ ଅସୁସ୍ଥ ଥିବା କଥା ପ୍ରଚାରିତ ହେବା ସମ୍ପୂର୍ଣ୍ଣ ଭାବେ ମନଗଢ଼ା କଥା ବୋଲି ମଧ୍ୟ ସେ କହିଛନ୍ତି। ଏହିପରି ଖବର ପ୍ରକାଶ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହି ଏହାର ତୀବ୍ର ନିନ୍ଦା କରିଥିଲେ ବିଧାୟକ ପ୍ରଫୁଲ୍ଲ ସାମଲ।
Powered by Froala Editor