ନକଲି ଡାକ୍ତର ନିଯୁକ୍ତି ରୋକିବା ନେଇ କ’ଣ ପଦକ୍ଷେପ ଗ୍ରହଣ କରାଯାଇଛି ଜାଣନ୍ତୁ...
କଟକ: ରାଜ୍ୟରେ ରହିଥିବା ନକଲି ଡାକ୍ତରମାନଙ୍କୁ ଚିହ୍ନଟ କରାଯିବା ନେଇ ହାଇକୋର୍ଟରେ ରୁଜୁ ମାମଲାର ଶୁଣାଣି ମଙ୍ଗଳବାର ହୋଇଛି। ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଗତ ଏହି ମାମଲାର ଶୁଣାଣି କରିଛନ୍ତି ମୁଖ୍ୟ ବିଚାରପତି ଚକ୍ରଧର ଶରଣ ସିଂହ ଓ ବିଚାରପତି ଏମ.ଏସ. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ। ଓଡ଼ିଶା କାଉନ୍ସିଲ ଅଫ ମେଡିକାଲ ରେଜିଷ୍ଟ୍ରେସନର (ଓସିଏମ୍ଆର) ଅଧ୍ୟକ୍ଷଙ୍କୁ ବ୍ୟକ୍ତିଗତ ହାଜର ହେବା ପାଇଁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତିି। ଏଥିସହ ଜାଲ ଡାକ୍ତର ନିଯୁକ୍ତି ରୋକିବା କ୍ଷେତ୍ରରେ କ’ଣ ପଦକ୍ଷେପ ଗ୍ରହଣ କରାଯାଇଛି ସେନେଇ ଜଣାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ନିମନ୍ତେ ମାର୍ଚ୍ଚ ୫ ତାରିଖକୁ ଧାର୍ୟ୍ୟ ହୋଇଛି। ପ୍ରକାଶ ଯେ, ପୂର୍ବ ଶୁଣାଣିରେ ରାଜ୍ୟରେ ନକଲି ଡାକ୍ତରଙ୍କୁ ଚିହ୍ନଟ ପାଇଁ ରୁଜୁ ମାମଲାରେ କ’ଣ ପଦକ୍ଷେପ ଗ୍ରହଣ କରାଯାଉଛି, ନକଲି ଡାକ୍ତର ଯାଞ୍ଚ ଲାଗି କୌଣସି ବ୍ୟବସ୍ଥା ରହିଛି କି ନାହିଁ ସେ ବାବଦରେ ସତ୍ୟପାଠ ଦାଖଲ ଲାଗି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ସରକାରଙ୍କ ପକ୍ଷରୁ ଏ ସଂକ୍ରାନ୍ତୀୟ ସତ୍ୟପାଠ ଦାଖଲ କରାଯାଇଥିଲା। ରାଜ୍ୟ ସରକାର ଜବାବ ଦାଖଲ କରିବା ପରେ ଆବେଦନକାରୀଙ୍କୁ ପ୍ରତି ଜବାବ ଦାଖଲ ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।
Powered by Froala Editor