ସୀତା ଖୁଆଡ଼ରେ ରହୁଛି ଆକବର, ହାଇକୋର୍ଟରେ ପହଞ୍ଚିଲା ମାମଲା
ସିଲିଗୁଡ଼ିର ସଫାରି ପାର୍କରେ ‘ସୀତା’ ନାମ୍ନୀ ସିଂହୀ ଖୁଆଡ଼ରେ ‘ଆକବର’ ନାମକ ସିଂହକୁ ରଖିଥିବା କାରଣରୁ ବିଶ୍ବ ହିନ୍ଦୁ ପରିଷଦ୍ର ପଶ୍ଚିମବଙ୍ଗ ଶାଖା ବନ ବିଭାଗ ବିରୋଧରେ କୋଲକାତା ହାଇକୋର୍ଟରେ ଆବେଦନ କରିଛନ୍ତି। ୧୬ ଫେବୃଆରୀରେ ଜଷ୍ଟିସ ସୌଗତ ଭଟ୍ଟାଚାର୍ଯ୍ୟଙ୍କ ବେଞ୍ଚରେ ଏହି ଆବେଦନ କରାଯାଇଥିଲା ଯାହାର ଶୁଣାଣି ୨୦ ଫେବୃଆରୀରେ ହେବ। ନାମ ପରିବର୍ତ୍ତନ କରାଯିବାକୁ ଆବେଦନ କରାଯାଇଛି।
ଫେବ୍ରୁଆରି ୧୩ ତାରିଖରେ ଉକ୍ତ ସିଂହ ଓ ସିଂହୀଙ୍କୁ ତ୍ରିପୁରାରେ ଥିବା ଗୋଟାଏ ଚିଡ଼ିଆଖାନାରୁ ଅଣାଯାଇଥିଲା। କିନ୍ତୁ, ସିଂହୀ ‘ସୀତା’ ନାମ ପରିବର୍ତ୍ତନ କରିବା ଲାଗି ବିଶ୍ବ ହିନ୍ଦୁ ପରିଷଦ୍ ବନ ବିଭାଗକୁ ଅନୁରୋଧ କରିଥିଲା। ଏହାର ପ୍ରତ୍ୟୁତ୍ତର ଦେଇ ବନ ବିଭାଗ କହିଲା ଯେ, ଏଠାକୁ ଆସିବା ଆଗରୁ ‘ସୀତା’ ଓ ‘ଆକବର’ ଭାବେ ଦୁହିଁଙ୍କର ନାମକରଣ ସରିଥିଲା। ଦୁହିଁଙ୍କର ପୁନଃନାମକରଣରେ ସେମାନଙ୍କର କୌଣସି ଭୂମିକା ନାହିଁ।
ପ୍ରଥମ ଥର ପାଇଁ ଦେଶରେ ବନ୍ୟ ପ୍ରାଣୀଙ୍କ ନାମକୁ ନେଇ ବିବାଦ ଦେଖାଦେଇଛି ଏବଂ ଏହା ହାଇକୋର୍ଟରେ ପହଞ୍ଚିଛି। ଏହି ମାମଲାରେ ପଶ୍ଚିମବଙ୍ଗର ମମତା ବାନାର୍ଜୀଙ୍କ ସରକାରଙ୍କୁ ସିଧାସଳଖ ଉତ୍ତର ଦେବାକୁ ପଡିପାରେ ବୋଲି ଚର୍ଚ୍ଚା ହେଉଛି। ଯେତେବେଳେ ଭିଏଚପିର ଜାତୀୟ ମୁଖପାତ୍ର ବିନୋଦ ବନସାଲ ଏକ ଟୁଇଟ ଲେଖି ଏହି ଘଟଣାକୁ ଆଶ୍ଚର୍ଯ୍ୟଜନକ ବୋଲି କହିଛନ୍ତି। ସେ ଲେଖିଛନ୍ତି ହିନ୍ଦୁ ମୁସଲମାନମାନଙ୍କୁ ସିଂହ ଏବଂ ସିଂହୀ ନାମ କିଏ ଦେଇଛି ତାହା ନିଶ୍ଚୟ ଜଣା ପଡିବ। ଏହା ହିନ୍ଦୁମାନଙ୍କ ଭାବନାକୁ ଆଘାତ ଦେଇଛି।
Powered by Froala Editor