ଆଗାମୀ ନିର୍ବାଚନ ପାଇଁ ରାଜ୍ୟରେ ରହିବ ୩୭, ୮୦୯ ମତଦାନ କେନ୍ଦ୍ର
ଭୁବନେଶ୍ୱର: ମହିଳା, ଦିବ୍ୟାଙ୍ଗ, ବୟସ୍କ ମତଦାତାଙ୍କୁ ମତଦାନ ପାଇଁ ଆକୃଷ୍ଟ କରିବା ପାଇଁ ବହୁବିଧ ପଦକ୍ଷେପ ନିଆଯାଇଛି ବୋଲି ନିର୍ବାଚନ କମିସନର କହିଛନ୍ତି। ଦିବ୍ୟାଙ୍ଗ ଭୋଟର୍ମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବଢ଼ାଇବାକୁ ଓଡ଼ିଶାରେ ୩୦୦ ପୁଲିଙ୍ଗ୍ ଷ୍ଟେସନ୍ ପରିଚାଳନା ଦାୟିତ୍ୱରେ କେବଳ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ରଖାଯିବ। ସେହିପରି ୪୦୦୦ ମତଦାନ କେନ୍ଦ୍ର ପରିଚାଳନା ଦାୟିତ୍ୱରେ କେବଳ ମହିଳାମାନେ ନିୟୋଜିତ ହେବେ। ଆଗାମୀ ନିର୍ବାଚନ ପାଇଁ ରାଜ୍ୟରେ ସମୁଦାୟ ୩୭, ୮୦୯ ମତଦାନ କେନ୍ଦ୍ର ରହିବ। ସେଥିରୁ ଗ୍ରାମାଞ୍ଚଳରେ ୩୩,୪୬୯ ଏବଂ ସହରାଞ୍ଚଳରେ ୪୩୪୦ ମତଦାନ କେନ୍ଦ୍ର ରହିବ।
ପ୍ରତି ମତଦାନ କେନ୍ଦ୍ର ପିଛା ଭୋଟର୍ଙ୍କ ସଂଖ୍ୟା ହାରାହାରି ୮୭୯ ରହିବ। ସେହିପରି ୭୦୦ ମତଦାନ କେନ୍ଦ୍ର ପରିଚାଳନା ଦାୟିତ୍ୱରେ ଯୁବକଯୁବତୀ ରହିଥିବା ବେଳେ ୭୦୦ଟି ଆଦର୍ଶ ମତଦାନ କେନ୍ଦ୍ର ଚିହ୍ନଟ କରାଯାଇଛି। ୨୨୬୮୫ ବୁଥ୍ରେ ୱେବ୍ କାଷ୍ଟିଂ ବ୍ୟବସ୍ଥା ହୋଇଛି। ଯାହାଦ୍ୱାରା ନିୟନ୍ତ୍ରଣ କକ୍ଷରୁ ଅଧିକାରୀମାନେ ଉକ୍ତ ବୁଥ୍ର ସିଧାପ୍ରସାରଣ ଦେଖିପାରିବେ ଏବଂ ଆବଶ୍ୟକ ହେଲେ ସେହି ଅନୁସାରେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ବାଚନ କମିସନଙ୍କ ପକ୍ଷରୁ କୁହାଯାଇଛି।
Powered by Froala Editor