ନିର୍ବାଚନରେ ନିୟୋଜିତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଯୋଗାଇ ଦିଆଯିବ ମାଗଣା ସ୍ୱାସ୍ଥ୍ୟସେବା
ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ବଡ଼ ନିଷ୍ପତ୍ତି ନେଇଛି। ନିର୍ବାଚନରେ ନିୟୋଜିତ ହେବାକୁ ଥିବା ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ମାଗଣା ତଥା ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ। ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଆୟୁକ୍ତ ତଥା ସଚିବ ଶାଳିନୀ ପଣ୍ଡିତ ନିର୍ଦ୍ଦେଶନାମା ଜାରି କରିଛନ୍ତି। ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବା ‘ବିଏସକେୱାଇ’ରେ ଅନୁବନ୍ଧିତ ହୋଇଥିବା ରାଜ୍ୟର ସମସ୍ତ ଘରୋଇ ହସ୍ପିଟାଲରେ ମାଗଣା ଚିକିତ୍ସା ସେବା ଯୋଗାଇ ଦେବାକୁ ନିର୍ଦ୍ଦେଶନାମାରେ ସ୍ପଷ୍ଟ ଉଲ୍ଲେଖ ରହିଛି। ଫଳରେ ନିର୍ବାଚନ କାର୍ୟ୍ୟରେ ନିୟୋଜିତ ଥିବା ଅବଜରଭରଙ୍କଠାରୁ ଆରମ୍ଭ କରି ପୋଲିଂ ଓ ପୁଲିସ କର୍ମଚାରୀ ସମସ୍ତଙ୍କ ପାଇଁ ଉପଲବ୍ଧ ହେବ ମାଗଣା ଚିକିତ୍ସା ସେବା। ଏଥିପାଇଁ ସମ୍ପୃକ୍ତ ହସ୍ପିଟାଲଗୁଡ଼ିକ ସ୍ୱାସ୍ଥ୍ୟ ବିଭାଗ ନିକଟରେ ନିର୍ଦ୍ଧାରିତ ମୂଲ୍ୟ ଅନୁସାରେ ନିଜ ନିଜର ବିଲ୍ ପାଇଁ ଆବେଦନ କରିପାରିବେ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି।
Powered by Froala Editor