ଜେଇଇ ମେନ୍: ଓଡ଼ିଶା ଟପ୍ପର ସତ୍ୟେନ୍ଦୁ କର
ଭୁବନେଶ୍ୱର: ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସି(ଏନ୍ଟିଏ) ଦ୍ୱାରା ପରିଚାଳିତ ସର୍ବଭାରତୀୟ ଜେଇଇ ମେନ୍ (ସେସନ-୧) ୨୦୨୪ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏହି ପରୀକ୍ଷାରେ ୯୯.୯୮ ପ୍ରତିଶତ ମାର୍କ ରଖି ଓଡ଼ିଶାର ଟପ୍ପର ହୋଇଛନ୍ତି ସତ୍ୟେନ୍ଦୁ କର । ଗୁଜୁରାଟର ଦ୍ୱୀଜା ଧର୍ମେଶ କୁମାର ପଟେଲ ଛାତ୍ରୀଙ୍କ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଭୁବନେଶ୍ୱରସ୍ଥିତ ଓଡିଏମ ପବ୍ଲିକ ସ୍କୁଲର ଛାତ୍ର ହେଉଛନ୍ତି ସତ୍ୟେନ୍ଦୁ ।
ମଙ୍ଗଳବାର ସକାଳେ ସର୍ବଭାରତୀୟ ଜେଇଇ ମେନ୍ (ସେସନ-୧) ୨୦୨୪ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ଏଥିରେ ଦେଶର ୨୪ ଜଣ ଛାତ୍ରୀଛାତ୍ର ୧୦୦ ପର୍ସେଣ୍ଟାଇଲ ସ୍କୋର ରଖିଛନ୍ତି । ତେବେ ୧୦୦ ପ୍ରତିଶତ ନମ୍ବର ରଖିଥିବା ୨୪ ଜଣ ହେଉଛନ୍ତି ଛାତ୍ର । ଗୁଜୁରାଟର ଦ୍ୱୀଜା ଧର୍ମେଶ କୁମାର ପଟେଲ ଛାତ୍ରୀଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ରହିଛନ୍ତି । ସେ ୯୯.୯୯ ପର୍ସେଣ୍ଟାଇଲ ସ୍କୋର ରଖିଛନ୍ତି । ଜେଇଇ ମେନ୍ (ସେସନ-୧)ରେ ଓଡ଼ିଶାର ସତ୍ୟେନ୍ଦୁ କର ରାଜ୍ୟ ଟପ୍ପର ହୋଇଥିବା ବେଳେ ୯୯.୯୮ ପ୍ରତିଶତ ମାର୍କ ରଖିଛନ୍ତି ।
ସତ୍ୟେନ୍ଦୁ ଭୁବନେଶ୍ୱରସ୍ଥିତ ଓଡିଏମ ପବ୍ଲିକ ସ୍କୁଲର ଛାତ୍ର । ବିଶେଷ ଭାବରେ ହରିୟାଣାରୁ ୨ ଜଣ, ତେଲେଙ୍ଗାନାରୁ ୭ ଜଣ, ଆନ୍ଧ୍ରପ୍ରଦେଶରୁ ୩ ଜଣ, ତାମିଲନାଡୁରୁ ଜଣେ, ଦିଲ୍ଲୀରୁ ୨ ଜଣ, ମହାରାଷ୍ଟ୍ରରୁ ୩ ଜଣ, ରାଜସ୍ଥାନରୁ ୩ ଜଣ, ଗୁଜୁରାଟରୁ ଜଣେ, କର୍ଣ୍ଣାଟକରୁ ଜଣେ ଲେଖାଁଏ ଛାତ୍ରଛାତ୍ରୀ ୧୦୦ ପର୍ସେଣ୍ଟାଇଲ ସ୍କୋର ରଖିଛନ୍ତି ।
ସୂଚନାଯୋଗ୍ୟ, ଏହି ପରୀକ୍ଷା ମୋଟ ୨୯୧ ସହରର ୫୪୪ କେନ୍ଦ୍ରରେ ହୋଇଥିଲା । ଏଥି ମଧ୍ୟରେ ୨୧ଟି ଦେଶ ବାହାରେ ପରୀକ୍ଷା କେନ୍ଦ୍ର ରହିଥିଲା । ଏଥର ପ୍ରଥମ ଥର ପାଇଁ ଆବୁଧାବି, ହଙ୍ଗକଙ୍ଗ ଏବଂ ଓସ୍ଲୋ ସହରରେ ପରୀକ୍ଷା ହୋଇଥିଲା । ଇଂରାଜୀ, ହିନ୍ଦୀ, ଓଡ଼ିଆ ସମେତ ମୋଟ ୧୩ଟି ଭାଷାରେ ଏହି ପରୀକ୍ଷା ହୋଇଥିଲା ।
ମୋଟ ୧୨ ଲକ୍ଷ୍ୟ ୨୧ ହଜାର ୬୨୪ ଜଣ ପରୀକ୍ଷା ପାଇଁ ପଞ୍ଜିକରଣ କରିଥିବା ବେଳେ ୧୧ ଲକ୍ଷ ୭୦ ହଜାର ୪୮ ଜଣ ପରୀକ୍ଷା ଦେଇଥିଲେ । ଏହାସହ ପରୀକ୍ଷା ସମ୍ପୂର୍ଣ୍ଣ ଭାବରେ ସିସିଟିଭି ସର୍ଭିଲାନ୍ସରେ ରହିଥିଲା ।
Powered by Froala Editor