ମୋ ସାର୍ବଜନୀକ ଜୀବନର ସବୁ ନିର୍ଣ୍ଣୟ ପାର୍ଟି ନିଏ: ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର: କିଛି ଦିନ ହେବ ଲାଗି ରହିଥିବା ଚର୍ଚ୍ଚାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ପୁଣି ଓଡ଼ିଶାରୁ ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭା ପ୍ରାର୍ଥୀ ହୋଇଛନ୍ତି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନାଁ ବିଜେପି ଘୋଷଣା କରିଛି। ଆଜି ବିଜେପି ପକ୍ଷରୁ ଏନେଇ ବିଧିବଦ୍ଧଭାବେ ଘୋଷଣା କରାଯାଇଛି। ତେବେ ରାଜ୍ୟସଭା ପ୍ରାର୍ଥୀଭାବେ ଘୋଷଣା ପରେ ଅଶ୍ୱିନୀ ବୈଷ୍ଣବ ନିଜ ପ୍ରତିକ୍ରିୟା ରଖିଛନ୍ତି । ୨ ଦିନିଆ ଓଡ଼ିଶା ଗସ୍ତରେ ପହଞ୍ଚିବା ପରେ ସେ କହିଛନ୍ତି ଯେ ‘ଭାରତୀୟ ଜନତା ପାର୍ଟିର ମୁଁ ଜଣେ ଶୃଙ୍ଖଳିତ କର୍ମୀ । ମୋ ସାର୍ବଜନୀକ ଜୀବନର ସବୁ ନିର୍ଣ୍ଣୟ ପାର୍ଟି ନିଏ । ପ୍ରଧାନମନ୍ତ୍ରୀ ମୋତେ ଆଉ ଥରେ ସୁଯୋଗ ଦେଇଥିବାରୁ କୃତଜ୍ଞ । ଆଉ ଥରେ ସେବା ପାଇଁ ସୁଯୋଗ ଦେଇଥିବାରୁ ମୋଦିଜୀଙ୍କୁ କୃତଜ୍ଞତା ।’
ପ୍ରକାଶ ଯେ ବିଜେପିର ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ କରିବ ବୋଲି ଘୋଷଣା କରିଛି । ତେବେ କ’ଣ ପାଇଁ ବିଜେଡି ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ କରିବ ସେ ସମ୍ପର୍କରେ ବି ଆଜି ବିଜେଡି ପକ୍ଷରାୁ ଜାରି ପ୍ରେସ ରିଲିଜରେ ଉଲ୍ଲେଖ କରାଯାଇଛି ।
ରାଜ୍ୟର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଅଶ୍ୱିନୀଙ୍କୁ ସମର୍ଥନ ଘୋଷଣା କରିଛି ବିଜେଡି । ରେଲୱେ ଓ ଟେଲିକମ କ୍ଷେତ୍ରରେ ରାଜ୍ୟର ସ୍ୱାର୍ଥକୁ ଦୃଷ୍ଟିରେ ରଖି ସମର୍ଥନ ଘୋଷଣା କରିଛି ବିଜେଡି ।
୨୦୧୯ରେ ବିଜେଡି ସମର୍ଥନରେ ରାଜ୍ୟସଭାକୁ ଯାଇଥିଲେ ଅଶ୍ୱିନୀ। ଏବେ ମଧ୍ୟ ବିଜେଡି ତାଙ୍କୁ ସମର୍ଥନ ଜଣାଇବ ବୋଲି ଘୋଷଣା କରିଛି । ସମର୍ଥନ ନେଇ ବିଜେଡି ପକ୍ଷରୁ ଏକ ପ୍ରେସ ରିଲିଜ ଜାରି କରାଯାଇଛି ।
ରାଜ୍ୟରେ ଖାଲି ହେଉଥିବା ୩ଟି ରାଜ୍ୟସଭା ଆସନ ପାଇଁ ଦୁଇ ଦିନ ତଳେ ବିଜେଡି କଟକର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ପୁରୀର ଯୁବ ବିଜେଡି ଉପସଭାପତି ଶୁଭାଶିଷ ଖୁଣ୍ଟିଆଙ୍କ ନାଁ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରିଥିଲା। ତେବେ ତୃତୀୟ ପ୍ରାର୍ଥୀ କିଏ ହେବ ତାକୁ ନେଇ ସସପେନ୍ସ ଜାରି ରହିଥିଲା। ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟସଭା ପ୍ରାର୍ଥୀ କରାଯିବ ବୋଲି ଚର୍ଚ୍ଚା ହେଉଥିଲା। ଆଜି ସେହି ଚର୍ଚ୍ଚାର ଅନ୍ତ ଘଟିଛି। ଅଶ୍ୱିନୀ ବୈଷ୍ଣବ ପୁଣି ଥରେ ଓଡ଼ିଶାରୁ ରାଜ୍ୟସଭା ପ୍ରାର୍ଥୀ ହୋଇଛନ୍ତି।
Powered by Froala Editor