ଏସ୍ଏନ୍ସିୟରେ ୧୯ ଦିନର ଶିଶୁକନ୍ୟା, ଫୋନ୍ ଉଠାଉ ନାହାନ୍ତି ବାପା-ମା’

ଚିକିତ୍ସାଧୀନ ଅବସ୍ଥାରେ ୧୯ ଦିନର ଶିଶୁକନ୍ୟାକୁ ଛାଡ଼ି ଦେଇ ବାପା-ମା’ ଫେରାର ହୋଇଯାଇଥିବା ନେଇ ଚର୍ଚ୍ଚା ହେଉଛି। କ୍ୟାପିଟାଲ୍ ହସ୍ପିଟାଲ୍ କର୍ତ୍ତୃପକ୍ଷ ଏନେଇ କମିଶନରେଟ୍ ପୁଲିସ୍କୁ ଅବଗତ କରାଇଛି।
ନୟାଗଡ଼ ଜିିଲ୍ଲା ଦଶପଲ୍ଲା ଅଞ୍ଚଳର ପ୍ରଶାନ୍ତ ନାୟକଙ୍କ ପତ୍ନୀ ମମତା ନୟାଗଡ଼ ମେଡ଼ିକାଲ୍ରେ ଏକ ଶିଶୁକନ୍ୟା ପ୍ରସବ କରିଥିଲେ। ଛୁଆର ଓଜନ ୮୬୦ ଗ୍ରାମ୍ ଥିଲା। ତେଣୁ ଶିଶୁଟିକୁ ଏସ୍ଏନ୍ସିୟରେ ଭର୍ତ୍ତି କରାଯାଇଥିଲା। ସେଠାରୁ ଗତ ୧୮ ତାରିଖରେ ପ୍ରଶାନ୍ତ ଛୁଆକୁ ଧରି କ୍ୟାପିଟାଲ୍ ହସ୍ପିଟାଲ୍ ଆସିଥିଲେ। ଛୁଆର ସ୍ୱାସ୍ଥ୍ୟ ଅବସ୍ଥା ଜଟିଳ ଥିବାରୁ ନିୟମିତ ବ୍ୟବଧାନରେ ମେଡ଼ିସିନ୍ ଓ ବ୍ଲଡ୍ ଦିଆଯାଉଥିଲା। ହେଲେ ବାପା ଓ ମାଆଙ୍କ ଦେଖାଯାଇ ନାହିଁ। ସେମାନେ ଫୋନ୍ ଉଠାଉ ନାହାନ୍ତି।
ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବାବେଳେ ଚାଇଲ୍ଡ ଲାଇନକୁ ମଧ୍ୟ କୌଣସି ସୂଚନା ଦିଆଯାଇନାହିଁ। ଅପରାହ୍ନ ଭିତରେ ବାପାମାଆ ଯୋଗାଯୋଗ ନକଲେ ଥାନା ଓ ଚାଇଲ୍ଡ ଲାଇନକୁ ଏବାବଦରେ ଜଣାଯିବ ବୋଲି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି।
ମେଡ଼ିକାଲ୍ କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ ଜଣେ ନର୍ମାଲ୍ ପିଲାର ଓଜନ ୨ କେଜି ୫୦୦ ଗ୍ରାମ ହେବା କଥା। ମାତ୍ର ଏହି ଛୁଆର ଓଜନ ୮୬୦ ଗ୍ରାମ। ତେଣୁ ପିଲାଟି ଅପରିପକ୍ୱ(ସମୟ ପୂର୍ବରୁ ଓ ଅସୁସ୍ଥ)। ତାକୁ ପୂର୍ବରୁ ଗୋଟିଏ ବ୍ଲଡ ଦିଆଯାଇଥିବା ବେଳେ ଆଜି ଆଉ ଗୋଟିଏ ଦିଆଯାଇଛି। କହିବାକୁ ଗଲେ ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି।
Powered by Froala Editor