ଆଜି ଶିମିଳିପାଳ ଅଭୟାରଣ୍ୟ ବନ୍ଦ

ବାରିପଦା: ଲଗାଣ ବର୍ଷା ଓ କୁହୁଡି ପାଇଁ ଗୁରୁବାର ଶିମିଳିପାଳ ଅଭୟାରଣ୍ୟ ଦିନ ପର୍ୟ୍ୟଟକଙ୍କ ନିମନ୍ତେ ବନ୍ଦ ରହିଛି। ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ବୁଧବାର ଠାରୁ ବର୍ଷା ଲାଗି ରହିଥିବା ବେଳେ ଗୁରୁବାର ଭୋରୁ ବର୍ଷା ମାତ୍ରା କିଛି ପରିମାଣରେ ବୃଦ୍ଧି ପାଇଛି। ଯାହା ଫଳରେ ଗୁରୁବାର ସକାଳୁ ଘନ କୁହୁଡି ପରିଲକ୍ଷିତ ହେବା ସହ ବର୍ଷା ଜାରି ରହିଛି। ତେଣୁକରି ପାହାଡିଆ ରାସ୍ତାରେ ବିପଦପୂର୍ଣ୍ଣ ଭାବେ ପର୍ୟ୍ୟଟକଙ୍କ ଚଳପ୍ରଚଳକୁ ଦୃଷ୍ଟିରେ ରଖି ପର୍ୟ୍ୟଟକଙ୍କ ସୁରକ୍ଷା ପାଇଁ ଏହିପରି ନିଷ୍ପତ୍ତି ନିଆଯାଇଛି। ତେବେ ରାତ୍ରି ରହଣି ପାଇଁ ଆସୁଥିବା ପର୍ୟ୍ୟଟକ ମାନଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ଖୋଲା ରହିବ। ଶିମିଳିପାଳରେ କୁହୁଡି ଓ ବର୍ଷାର ପରବର୍ତ୍ତୀ ସ୍ଥିତିକୁ ନେଇ ଆଗାମୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ଲଘୁଚାପ ପ୍ରଭାବରେ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ବୃଷ୍ଟିପାତ ବୃଦ୍ଧି ହୋଇଛି। ଗୁରୁବାର ସକାଳ ସୁଦ୍ଧା ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ଅଞ୍ଚଳରେ ବୃଷ୍ଟିପାତ ନେଇ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ରିପୋର୍ଟ ଅନୁଯାୟୀ, ରାମତୀର୍ଥରେ
ସର୍ବାଧିକ ୩୪.୫୪୫ମିମି ବୃଷ୍ଟିପାତ ହୋଇଥିବା ବେଳେ ବରେହିପାଣିରେ ୨୫.୧୪୬ମିମି ବୃଷ୍ଟିପାତ ରେକର୍ଡ ହୋଇଛି। ସେହିପରି ନୱଣାରେ ୧୭.୩ମିମି, ଚହଲା ୧୭.୪ମିମି, ଠାକୁରମୁଣ୍ଡାରେ ୩.୮୧ମିମି, କେନ୍ଦୁମୁଣ୍ଡି ୨୦.୩୨ମିମି ଏବଂ ସାତକୋଶିଆରେ ୧୯.୯ ମିଲିମିଟରର ବର୍ଷା ରେକର୍ଡ ହୋଇଛି। ଶିମିଳିପାଳ ଅଭୟାରଣ୍ୟରେ ବୃଷ୍ଟିପାତ ଯୋଗୁଁ ଜଙ୍ଗଲ ମଧ୍ୟରେ ଥିବା ଜଳାଶୟ ଏବଂ ପ୍ରବାହିତ ହେଉଥିବା ନଦୀ ମାନଙ୍କର ଜଳସ୍ତର କିଛି ପରିମାଣରେ ବୃଦ୍ଧି ପାଇଛି।
Powered by Froala Editor