ବନ୍ତଳାରେ ହତ୍ୟାକାଣ୍ଡ : କୂଅରୁ ଯାଆଁଳା ଶିଶୁଙ୍କ ମୃତଦେହ ଉଦ୍ଧାର
ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ମୁଣ୍ଡାଢ଼ିପ ସାହିରେ ଘଟିଛି ଦୁଃଖଦ ଘଟଣା। ଗଭୀର କୂଅରୁ ମିଳିଛି ୩ ମାସର ଯାଆଁଳା ଶିଶୁଙ୍କ ମୃତଦେହ । ମୃତ ଶିଶୁ ଦୁଇଜଣ ସୁନୀଲ ସାହୁ ଙ୍କ ଯାଆଁଳା ଛୁଆ। ଯାଆଁଳା ଶିଶୁ ଜଣେ ପୁଅ ଓ ଅନ୍ୟ ଜଣେ ଝିଅ ଥିବା ଜଣାପଡ଼ିଛି।
ବୁଧବାର ସକାଳେ ଛୁଆ ଦୁଇ ଜଣ ଘରେ ଶୋଇଥିଲେ। ସୁନୀଲଙ୍କ ସ୍ତ୍ରୀ ତପସ୍ୱନୀ ପଡ଼ିଶା ଘରକୁ ଯାଇଥିଲେ। କିଛି ସମୟ ପରେ ଫେରିଲା ବେଳକୁ ଛୁଆ ଦୁଇ ଜଣ ବିଛଣାରେ ନଥିଲେ। ତେଣୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ। ମାତ୍ର ଦୁଇ ଶିଶୁଙ୍କର କୌଣସି ସନ୍ଧାନ ପାଇ ନଥିଲେ। ସନ୍ଧ୍ୟା ସମୟରେ ଘର ପଛପଟ ବାଡ଼ିରେ ଥିବା କୂଅରେ ଜଣେ ଶିଶୁର ମୃତଦେହ ଭାସୁଥିବାର ଦେଖିବାକୁ ପାଇଥିଲେ। ସେଇ କୂଅ ଭିତରେ ବହୁ ଖୋଜିବା ପରେ ଦୁଇ ଶିଶୁଙ୍କ ମୃତଦେହ ମିଳିଥିଲା।
କୂଅରୁ ଉଦ୍ଧାର କରି ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ମାଆ କ୍ଷୀର ପାଇ ବାହାରକୁ ଯାଇଥିବାବେଳେ କେହି ବାଡ଼ିପଟୁ ଘରେ ପଶି ଶିଶୁଦୁଇଟିକୁ କୂଅରେ ପକାଇଦେଇଥିବା ଅଭିଯୋଗ ହୋଇଛି । ତେବେ ଛୁଆମାନେ ଘରୁ କୂଅ ନିକଟକୁ କେମିତି ଗଲେ। କିଏ ଏଭଳି ଜଘନ୍ୟକାଣ୍ଡ ଘଟାଇଛି ସେନେଇ କୌଣସି ସୂଚନା ମିଳିପାରିନି ।
Powered by Froala Editor