ରାଜନୀତିରେ ପୂର୍ବତନ କ୍ରିକେଟର ଅମ୍ବାତି ରାଇଡୁ

ପୂର୍ବତନ ଭାରତୀୟ କ୍ରିକେଟର ଅମ୍ବାତି ରାୟୁଡୁ ରାଜନୀତିରେ ପ୍ରବେଶ କରିଛନ୍ତି। ୩୭ ବର୍ଷୀୟ ଅମ୍ବାତି ରାୟୁଡୁ ଜଗନ୍ ମୋହନ ରେଡ୍ଡୀଙ୍କ ଉପସ୍ଥିତିରେ ଓ୍ବାଇଏସଆର କଂଗ୍ରେସରେ ଯୋଗ ଦେଇଛନ୍ତି। ବିଜୟଓ୍ବାଡାରେ ଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଗୁରୁବାର ଏହି କ୍ରିକେଟର ରାଜନୀତିରେ ସାମିଲ ହୋଇଛନ୍ତି।
ବାସ୍ତବରେ ଅମ୍ବାତି ରାୟୁଡୁ ଏଭଳି ଏକ ସମୟରେ ଦଳରେ ଯୋଗ ଦେଇଛନ୍ତି, ଯେତେବେଳେ ସମସ୍ତ ଦଳ ଆଗାମୀ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଏଭଳି ପରିସ୍ଥିତିରେ ଲୋକ ସଭା ନିର୍ବାଚନରେ ଦଳ ତାଙ୍କୁ ଟିକେଟ ଦେବ କି ନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି।
ସୂଚନାଯୋଗ୍ୟ,୨୯ ମେ’ରେ ଇଣ୍ଡିଆନ ପ୍ରିମିୟର ଲିଗ ଫାଇନାଲରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ରାଇଡୁ ତାଙ୍କର ଶେଷ କ୍ରିକେଟ ମ୍ୟାଚ ଖେଳିଥିଲେ। ରାଜନୀତିରେ ଯୋଗଦେବା ପୂର୍ବରୁ ସେ ନିଜ ଜନ୍ମସ୍ଥାନ ଗୁଣ୍ଟୁର ଜିଲାର ପ୍ରତ୍ୟେକ କୋଣ ଅନୁକୋଣକୁ ଯାଇ ଲୋକମାନଙ୍କୁ ଭେଟିଥିଲେ।
ସେ ବୁଧବାର ଗଣମାଧ୍ୟମକୁ କହିଛନ୍ତି, ମୁଁ ଶୀଘ୍ର ଲୋକଙ୍କ ସେବା କରିବା ପାଇଁ ଆନ୍ଧ୍ରପ୍ରଦେଶର ରାଜନୀତିରେ ପ୍ରବେଶ କରିବି। ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ମୁଁ ଲୋକଙ୍କୁ ଜାଣିବାକୁ ଚେଷ୍ଟା କରିଥିଲି ଏବଂ ସେମାନଙ୍କ ସମସ୍ୟା ବୁଝିଥିଲି।
Powered by Froala Editor