ଗୌତମ ଥାପରଙ୍କ ଘରେ ସିବିଆଇ ରେଡ୍ , ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଜବତ

ଅଭନଥା ଗ୍ରୁପର ପ୍ରତିଷ୍ଠାତା ତଥା କୋଟିପତି ଗୌତମ ଥାପରଙ୍କ ନାଁରେ ଠକେଇ କରିବା ନେଇ ସିବିଆଇ ମାମଲା ରୁଜୁ କରିଛି ୟେସ ବ୍ୟାଙ୍କକୁ ୪୬୬ କୋଟି ଟଙ୍କାର ଚୂନ ଲଗାଇବା ଘଟଣାରେ ସିବିଆଇ ଏପରି ପଦକ୍ଷେପ ନେଇଛି। ମାମଲା ରୁଜୁ ହେବା ପରେ ତଦନ୍ତକାରୀ ସଂସ୍ଥା ଏକକାଳୀନ ୨୦ଟି ସ୍ଥାନରେ ରେଡ୍ କରିଥିଲେ। ଏହି ସ୍ଥାନଗୁଡ଼ିକ ମଧ୍ୟରେ ଗୌତମ ଥାପରଙ୍କ ଘର ଓ ଅଫିସ ମଧ୍ୟ ରହିଥିଲା। ରେଡ୍ ବେଳେ ଠକେଇ ସମ୍ପର୍କରେ ବହୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ମିଳିଥିବା ଜଣାପଡ଼ିଛି।
ଗୌତମ ଥାପର ଓ ଅନ୍ୟ ଅଭିଯୁକ୍ତମାନେ ୟେସ ବ୍ୟାଙ୍କର ଋଣ ନେଇଥିଲେ ହେଁ ଏହାକୁ ପୈଠ କରି ନଥିଲେ। ଫଳରେ ବ୍ୟାଙ୍କରେ ଥିବା ସେମାନଙ୍କ ଆକାଉଣ୍ଟଗୁଡ଼ିକ ଏନପିଏ ହୋଇଯାଇଥିଲା। ତେବେ ଫରେନସିକ ଅଡିଟ ବେଳେ ଋଣ ଅର୍ଥକୁ ଜାଣିଶୁଣି ଅଭିଯୁକ୍ତମାନେ ଫେରସ୍ତ କରି ନଥିଲେ ବୋଲି ଜଣାପଡ଼ିଥିଲା। ସେହିପରି ବିଭିନ୍ନ ଆଳରେ ଏହାକୁ ଅନ୍ୟତ୍ର ପଠା ଯାଇଥିଲା। ଏହା ଜଣାପଡ଼ିବା ପରେ ୟେସ ବ୍ୟାଙ୍କ ସିବିଆଇ ନିକଟରେ ଅଭିଯୋଗ କରିଥିଲା। ଅଭିଯୁକ୍ତମାନଙ୍କ ନାଁରେ ଅପରାଧିକ ଷଡ଼ଯନ୍ତ୍ର, ଠକେଇ, ଅପରାଧିକ ଉଦ୍ଦେଶ୍ୟ ରଖି ବିଶ୍ୱାସ ଭାଙ୍ଗିବା ଭଳି ଦଫା ଲଗାଯାଇଛି।
ଗତବର୍ଷ ୟେସ ବ୍ୟାଙ୍କର ପୂର୍ବତନ ଏମଡି ରାଣା କପୁର ଓ ତାଙ୍କ ପରିବାର ଲୋକ ୩୦୭ କୋଟି ଟଙ୍କା ଲାଞ୍ଚ ଆକାରରେ ପାଇଥିଲେ ବୋଲି ସିବିଆଇ କହିଥିଲା। ଅଭନଥା ରିୟଲଟିରୁ ରାଣା କୁପରଙ୍କ ପରିବାର ଏହି ଅର୍ଥରେ ଗୋଟିଏ ବଙ୍ଗଳା କଣିଥିଲା। ଏହି ଅଭନଥା ରିୟଲଟି ହେଉଛି ଗୌତମଙ୍କର ଗୋଟିଏ ସଂସ୍ଥା। ସେ ୟେସ ବ୍ୟାଙ୍କରୁ ଋଣ କାରବାର କରିବାକୁ ଏଭଳି ଲାଞ୍ଚ ଦେଇଥିବା ସିବିଆଇ ଜାଣିବାକୁ ପାଇଛି।
Powered by Froala Editor