ଅଦିନିଆ ବର୍ଷାରେ ଫସଲ ନଷ୍ଟ, ଆତ୍ମହତ୍ୟା କଲେ ଚାଷୀ
ବଲାଙ୍ଗିର : ଅଦିନିଆ ବର୍ଷାରେ ଫସଲ ନଷ୍ଟ ହୋଇଯିବାରୁ ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ର ବିନେକେଲ ଗାଁରେ। ମୃତ ଚାଷୀଙ୍କ ନାଁ ଚମରୁ ବାଗ୍ (୪୭)।
ଜଣେ ସଂପର୍କୀୟଙ୍କ କହିବା ଅନୁଯାୟୀ, ଦୁଇ ଏକର ଜମିରେ ଚମରୁ ଧାନ ଚାଷ କରିଥିଲେ। ବର୍ଷା ଯୋଗୁ ଫସଲ ନଷ୍ଟ ହୋଇଯାଇଥିଲା। ଅମଳ ପରେ ତାଙ୍କୁ ମାତ୍ର ୩ ପ୍ୟାକେଟ୍ ଧାନ ମିଳିଥିଲା। ଏହା ଦେଖି ସେ ଦୁଃଖରେ ଭାଙ୍ଗି ପଡ଼ିଥିଲେ ଓ ବିଷ ପିଇ ଦେଇଥିଲେ। ଚମରୁ ଗତକାଲି ଅପରାହ୍ନ ପ୍ରାୟ ୨ଟା ବେଳେ ବିଷ ପିଇ ଦେଇଥିଲେ। ରାତିରେ ବଲାଙ୍ଗିର ସ୍ଥିତ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।
ଚମରୁ ଜଣେ ଛୋଟ ଚାଷୀ ଥିଲେ। ନିଜେ ଖାଇବା ପାଇଁ ଚାଷ କରୁଥିଲେ। ଘରେ ତାଙ୍କର ସ୍ତ୍ରୀ ଓ ଦୁଇ ପୁଅ ଅଛନ୍ତି। ଦୁଇ ପୁଅ ଗୁଜରାଟ ଦାଦନ ଖଟିବାକୁ ଯାଇଛନ୍ତି। ତାଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଗାଁ ଲୋକେ ଦାବି କରିଛନ୍ତି।
Powered by Froala Editor