ବିଜେଡିର ପରିବର୍ଦ୍ଧିତ କାର୍ୟ୍ୟକାରିଣୀ ବୈଠକ
ଭୁବନେଶ୍ୱର: କିଛି ସମୟ ପରେ ଆରମ୍ଭ ହେବ ବିଜେଡିର ପରିବର୍ଦ୍ଧିତ କାର୍ୟ୍ୟକାରିଣୀ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସୁଥିବା ଏହି ବୈଠକରେ ଦଳର ସମସ୍ତ କାର୍ୟ୍ୟକାରିଣୀ ସଦସ୍ୟଙ୍କ ସମେତ ଦଳର ଛାମୁଆ ସଂଗଠନ ସଭାପତି ଏବଂ ନିମନ୍ତ୍ରିତ ଅତିଥି ଯୋଗ ଦେବେ । ବୈଠକରେ ସାମାଜିକ, ରାଜନୈତିକ ଓ ସାଙ୍ଗଠନିକ ପ୍ରସ୍ତାବ ପାରିତ ହେବ ।ଯେହେତୁ ମୁଣ୍ଡ ଉପରେ ୨୦୨୪ ନିର୍ବାଚନ ରହିଛି ତେଣୁ କେଉଁ ରଣନୀତି ନେଇ ଲୋକମାନଙ୍କୁ ପାଖକୁ ଦଳ ଯିବ ତାର ଖସଡ଼ା ପ୍ରସ୍ତୁତ କରିବ ଦଳ । ଷଷ୍ଠ ଥର ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବା ଲାଗି ସଂକଳ୍ପ ନେବେ ସମସ୍ତ ନେତା ଓ କର୍ମୀ । ୨୦୨୦ ମସିହାରେ ଶେଷ ଥର ପାଇଁ ବସିଥିଲା ଦଳର କାର୍ୟ୍ୟକରିଣୀ ବୈଠକ ।
ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସୁଥିବା କାର୍ୟ୍ୟକାରିଣୀ ବୈଠକରେ ଦଳର ସମସ୍ତ ସାଂସଦ, ବିଧାୟକଙ୍କ ସହ ବରିଷ୍ଠ ନେତା ସାମିଲ ହେବେ । ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜେଡିର ଏହି ପରିବର୍ଦ୍ଧିତ କାର୍ୟ୍ୟକାରିଣୀ ବୈଠକ ବେଶ ଗୁରତ୍ୱ ବହନ କରୁଛି । ବୈଠକ ପରେ ବିଜେଡି ତାର ସାଂଗଠନିକ କାର୍ୟ୍ୟକ୍ରମକୁ ଆହୁର ଜୋରଦାର କରିବା ନେଇ ଯୋଜନା ପ୍ରସ୍ତୁତ କରିଛି ।
ଆଜିର ବୈଠକରେ ଦଳ ପକ୍ଷରୁ ବଡ଼ ଘୋଷଣା କରାଯିବା ନେଇ ଚର୍ଚ୍ଚା ହେଉଛି । ଡିସେମ୍ବର ୨୬ରେ ବିଜୁ ଜନତା ଦଳ ୨୭ବର୍ଷରେ ପଦାର୍ପଣ କରୁଥିବା ବେଳେ ଏହାକୁ ପ୍ରଭାବୀ ଢଙ୍ଗରେ ପାଳନ କରାଯିବା ନେଇ ବ୍ୟାପକ ପ୍ରସ୍ତୁତି କରିଛି ଦଳ । ଦଳର ପ୍ରତିଷ୍ଠା ଦିବସ ଅବସରରେ ଲୋକଙ୍କ ନିକଟତର ହେବାକୁ ଦଳୀୟ କର୍ମକର୍ତାଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
Powered by Froala Editor