ସାଂସଦ ମହୁଆ ମୈତ୍ର ଲୋକସଭାରୁ ବହିଷ୍କୃତ

ନୂଆଦିଲ୍ଲୀ: ‘ଅର୍ଥ ବିନିମୟରେ ପ୍ରଶ୍ନ’ ଅଭିଯୋଗରେ ‘ତୃଣମୂଳ କଂଗ୍ରେସ’ର ସାଂସଦ ମହୁଆ ମୈତ୍ରଙ୍କୁ ବହିଷ୍କାର କରାଯାଇଛି । ଲୋକସଭାରୁ ତାଙ୍କୁ ବହିଷ୍କୃତ କରାଯାଇଛି । ବହିଷ୍କାର କରିବା ଲାଗି ଆଜି ଲୋକସଭାରେ ଆଗତ କରାଯାଇଥିବା ‘ଏଥିକ୍ସ୍ କମିଟି’ ରିପୋର୍ଟରେ ସୁପାରିସ କରାଯାଇଥିଲା ।
ପ୍ରଶ୍ନକାଳ ପରେ ଗୃହ ମୁଲତବୀ କରାଯାଇ ପୁଣି ମଧ୍ୟାହ୍ନରେ ଗୃହକାର୍ୟ୍ୟ ଆରମ୍ଭ ହେବା ପରେ ଏହି ‘ପାନେଲ୍’ ବା ‘କମିଟି’ର ପ୍ରଥମ ରିପୋର୍ଟ ଉପସ୍ଥାପନ କରିଥିଲେ ‘ଏଥିକ୍ସ୍ କମିଟି’ର ଅଧ୍ୟକ୍ଷ ବିନୋଦ କୁମାର ସୋନ୍କାର୍। ରିପୋର୍ଟରେ ଉଲ୍ଲେଖ ଅଛି, ମହୁଆ ମୈତ୍ର କରିଥିବା ସାଙ୍ଘାତିକ ଅପକର୍ମ କଠୋର ଦଣ୍ଡବିଧାନ ଯୋଗ୍ୟ। ତେଣୁ, କମିଟି ସୁପାରିସ କରୁଛି ଯେ, ସାଂସଦ ମହୁଆ ମୈତ୍ରଙ୍କୁ ୧୭ଶ ଲୋକସଭାର ସଦସ୍ୟ ପଦରୁ ବହିଷ୍କାର କରାଯାଉ। ମହୁଆ ମୈତ୍ରଙ୍କ ଅତ୍ୟନ୍ତ ଆପତ୍ତିଜନକ, ଅନୈତିକ, ଘୃଣ୍ୟ ଓ ଅପରାଧିକ କାର୍ୟ୍ୟ ଦୃଷ୍ଟିରୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଭାରତ ସରକାର କଠୋର,ବିହିତ ଓ ସୁସଙ୍ଗଠି ଉପାୟରେ ତଦନ୍ତ କରିବା ଲାଗି କମିଟି ସୁପାରିସ କରୁଛି। ଏହି ରିପୋର୍ଟ ଉପସ୍ଥାପନ କରାଯିବା କ୍ଷଣି ‘ତୃଣମୂଳ କଂଗ୍ରେସ’ ସଦସ୍ୟମାନଙ୍କ ସହିତ କଂଗ୍ରେସର କେତେକ ସଦସ୍ୟ ମଧ୍ୟ ରିପୋର୍ଟର କପି ପାଇବାକୁ ଦାବି କରି ଗୃହର ମଧ୍ୟଭାଗକୁ ଚାଲି ଆସିଥିଲେ। ଗୃହରେ ହୋହାଲ୍ଲା ଚାଲିଥିବା ବେଳେ ବାଚସ୍ପତି ଆସନରେ ବସିଥିବା ‘ବିଜେପି’ ସଦସ୍ୟ ରାଜେନ୍ଦ୍ର ଅଗ୍ରୱାଲ୍ ଅପରାହ୍ଣ ୨ଟା ପର୍ୟ୍ୟନ୍ତ ଗୃହ ମୁଲତବୀ ରଖିଥିଲେ।
Powered by Froala Editor