ମଦଭାଟି ମାଲିକଙ୍କ କୁବେର ଖଜାନା : ସିନ୍ଦୁକରୁ ମିଳିଲାଣି ୨୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା
ବଲାଙ୍ଗୀର ସହରର ମଦଭାଟିରୁ ୨୦୦ କୋଟିରୁ ଉର୍ଦ୍ଧ୍ୱ ନଗଦ ଟଙ୍କା ଆୟକର ବିଭାଗ ଜବତ କରିବା ଘଟଣା ହଇଚଇ ସୃଷ୍ଟି କରିଛି। ବଲାଙ୍ଗିର ସୁଦପଡା ମଦ ଭାଟିରେ ରେଡ୍ ବେଳେ ଆୟକର ବିଭାଗ ହାତରେ ଲାଗିଛି ଟଙ୍କା ଭର୍ତ୍ତି ସିନ୍ଦୁକ। ଯାହାକୁ ଦେଖି ତାଜୁବ ହୋଇଛି ଆୟକର ଟିମ୍। ଲକ୍ଷେ କି ଦୁଇ ଲକ୍ଷ ନୁହେଁ, କୋଟି କୋଟି ଟଙ୍କା ପାଇଛି ଟିମ୍। ତେଣୁ ଟଙ୍କା ନେବାକୁ କର୍ମଚାରୀଙ୍କୁ ଡକାଯାଇଥିଲେ। ୧୫୬ଟି ବ୍ୟାଗ ଓ ଅଖାରେ ଟଙ୍କା ଭର୍ତ୍ତି କରି ବ୍ୟାଙ୍କକୁ ନେଲେ। ରାତି ପାହିବା ପରେ ଆରମ୍ଭ ହୋଇଥିଲା ଟଙ୍କା ଗଣତି। ୬ଟି ମେସିନରେ ୮ ଜଣ କର୍ମଚାରୀ ଲାଗି ପଡିଥିଲେ ଟଙ୍କା ଗଣିବାରେ। ଟଙ୍କା ଗଣି ଗଣି କର୍ମଚାରୀ ବେଦମ ହୋଇପଡିଥିଲେ ମଧ୍ୟ ସରିନଥିଲା ଗଣତି।
ମଦଭାଟିକୁ ଏତେ ପରିମାଣର ଟଙ୍କା କୁଆଡୁ ଆସିଲା ତାକୁ ନେଇ ଏବେ ଘନ ଘନ ଚର୍ଚ୍ଚା ଜାରି ରହିଛି। ଟିକସ ଫାଙ୍କି ସନ୍ଦେହରେ ବୁଧବାରଠାରୁ ବଲାଙ୍ଗୀର ଓ ଟିଟିଲାଗଡ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ବୁଧବାର ରାତି ସୁଦ୍ଧା ଆୟକର ବିଭାଗ ବଲଙ୍ଗୀର ସହରର ସୁଦପଡା ଦେଶୀ ମଦଭାଟି ଏବଂ କ୍ଳବ୍ପଡା କାର୍ଯ୍ୟ କାର୍ଯ୍ୟାଳୟ ସମେତ ଟିଟିଲାଗଡ ସହରର ତିନୋଟି ସ୍ଥାନରୁ ବସ୍ତା ବସ୍ତା ଟଙ୍କା ଜବତ କରିଥିବା ଜଣାପଡିଥିଲା।
ସୂଚନା ଅନୁସାରେ, ଦୁଇଟି ଆଲମିରାରୁ ମିଳିଥିବା ଟଙ୍କା ଦେଢଶହ କୋଟିରୁ ଅଧିକ ହେବ। ପରେ ମଦଭାଟି ଦାୟିତ୍ୱରେ ଥିବା ରାଜେଶ ସାହୁଙ୍କୁ ଉଠାଇ ଆଣି ପଚରା ଉଚରା କରୁଛନ୍ତି ଆଇଟି ଅଧିକାରୀ।
Powered by Froala Editor