ଅଦ୍ଭୁତ : ୧୬ ମାସରେ ମହିଳାଙ୍କୁ ୫ ଥର ହାର୍ଟ ଆଟାକ୍, ତଥାପି ସୁସ୍ଥ

ଜଣେ ୫୧ ବର୍ଷୀୟ ମହିଳାଙ୍କୁ ୧୬ ମାସରେ ୫ଥର ହାର୍ଟ ଆଟାକ ହୋଇଛି। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ମୁମ୍ବାଇ ଉପକଣ୍ଠ ମୁଲୁଣ୍ଡରେ ରହୁଥିବା ଜଣେ ମହିଳାଙ୍କ ସହ ଏପରି ଘଟିଛି। ମହିଳାଙ୍କ ଦେହରେ ୫ଟି ଷ୍ଟେନ୍ସ ଲାଗିଛି। ସେ ୬ ଥର ଆଞ୍ଜିଓପ୍ଲାଷ୍ଟି କରିଛନ୍ତି ଓ ତାଙ୍କର ଥରେ ବାଇପାସ୍ ସର୍ଜରୀ ମଧ୍ୟ ହୋଇଛି। ହେଲେ କାହିଁକି ସେ ବାରମ୍ବାର ଏପରି ହୃଦଘାତର ସମ୍ମୁଖୀନ ହେଉଛନ୍ତି, ତା’ର କାରଣ ଡାକ୍ତରମାନେ ଜାଣି ପାରୁ ନାହାନ୍ତି।
ମହିଳା ଜଣଙ୍କ ଶେଷ ଥର ପାଇଁ ଡିସେମ୍ବର ୧ ଓ ୨ ତାରିଖରେ କ୍ୟାଥ ଲାବକୁ ଯାଇଥିଲେ। ଚିକିତ୍ସା ପରେ ସେ ବାହାରକୁ ଆସିଛନ୍ତି। ମହିଳା ୨୦୨୨ ମସିହା ସେପ୍ଟେମ୍ବର ମାସରେ ପ୍ରଥମଥର ପାଇଁ ହୃଦଘାତର ସମ୍ମୁଖୀନ ହୋଇଥିଲେ। ସେ ଟ୍ରେନରେ ଜୟପୁରରୁ ବୋରିଭଲି ଆସୁଥିବା ବେଳେ ହୃଦଘାତ ଘଟିଥିଲା। ତାଙ୍କୁ ରେଳବାଇ ପକ୍ଷରୁ ତୁରନ୍ତ ଅହମଦାବାଦର ଗୋଟିଏ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କୁ ଆଞ୍ଜିଓପ୍ଲାଷ୍ଟି ପାଇଁ ମୁମ୍ବାଇ ଅଣାଯାଇଥିଲା।
ଏହାପରେ ସେ ୧୬ ମାସରେ ଆଉ ୫ଥର ହୃଦଘାତର ସାମ୍ନା କରିଛନ୍ତି। ଡାକ୍ତରଙ୍କ କହିବା କଥା ଯେ ତାଙ୍କ ହାର୍ଟ ସମସ୍ୟା ଏବେ ବି ରହସ୍ୟମୟ ରହିଛି। ମହିଳା ନିଜର ସମସ୍ୟା ସମ୍ପର୍କରେ ଏକାଧିକ ବିଶେଷଜ୍ଞ ଡାକ୍ତରଙ୍କ ସହ କଥାବାର୍ତ୍ତା କରିଛନ୍ତି। ତଥାପି କେହି ବି ନିର୍ଦ୍ଦିଷ୍ଟ ଭାବେ ସେକଥା ଜାଣି ପାରୁ ନାହାନ୍ତି।
Powered by Froala Editor