ମାଓବାଦୀରୁ କଲ୍ୟାଣ ମନ୍ତ୍ରୀ : ଜାଣନ୍ତୁ ସୀତାକ୍କାଙ୍କ ସଂଘର୍ଷ କାହାଣୀ...

ତେଲଙ୍ଗାନାର ରେବନ୍ତଙ୍କ ସରକାରରେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଦନସାରୀ ଅନସୁୟା ସୀତାକ୍କା। ତାଙ୍କ ଜୀବନର ସଂର୍ଘଷ କାହାଣୀ କୌଣସି ଫିଲ୍ମ ଠାରୁ କମ୍ ନୁହେଁ । କୁଖ୍ୟାତ ମାଓବାଦୀ ଭାବେ ଅନସୁୟା ବନ୍ଧୁକ ଧରି ଲୋକଙ୍କୁ ଭୟଭୀତ କରୁଥିଲେ। କିନ୍ତୁ ସମୟକ୍ରମେ ମୁଖ୍ୟସ୍ରୋତକୁ ଫେରି ଓକିଲ ବନିଲେ। ଏହାପରେ ସେ ବିଧାୟକ ହେଲେ। ଏବେ ସେ କଂଗ୍ରେସ ସରକାରରେ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।
ସେ ନକ୍ସଲରୁ କେମିତି ରାଜନୀତିକୁ ପ୍ରବେଶ କଲେ ଚାଲନ୍ତୁ ଜାଣିବା...
କୋୟା ଆଦିବାସୀ ବର୍ଗରୁ ଆସିଥିବା ସୀତାକ୍କା ମାତ୍ର ୧୪ ବର୍ଷ ବୟସରେ ହିଁ ମାଓବାଦୀ ସଂଗଠନରେ ସାମିଲ ହୋଇଥିଲେ। ଉକ୍ତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସେ ସଶସ୍ତ୍ର ବାହିନୀର ନେତୃତ୍ୱ ନେଇଥିଲେ। ପୁଲିସ୍ ସହ ହୋଇଥିବା ଅନେକ ଗୁଳି ବିନିମୟ ଘଟଣାରେ ସୀତାକ୍କା ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ଗୁଳି ବିନିମୟ ସମୟରେ ସେ ତାଙ୍କ ସ୍ୱାମୀ ଓ ଭାଇଙ୍କୁ ମଧ୍ୟ ହରାଇଥିଲେ।
୧୫ ବର୍ଷରୁ ଅଧିକ ସମୟ ଧରି ସୀତାକ୍କା ଜଙ୍ଗଲରେ ବିତାଇଛନ୍ତି। କିନ୍ତୁ ତାଙ୍କ ଅଧ୍ଯୟନ ଜାରି ରଖିଥିଲେ। ହଠାତ ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ନେତା ଚନ୍ଦ୍ରବାବୁ ନାଇଡୁଙ୍କ ସଂସ୍ପର୍ଶରେ ଆସିଥିଲେ ସୀତାକ୍କା । ଏହାପରେ ସେ ଚନ୍ଦ୍ରବାବୁ ନାଇଡୁଙ୍କ କଥାରେ ମୁଖ୍ୟ ଧାରାରେ ସାମିଲ ହୋଇଥିଲେ ।
୧୯୯୪ରେ ସାଧାରଣ କ୍ଷମା ନୀତି ବଳରେ ସୀତାକ୍କା ମାଓବାଦୀ ସଂଗଠନରୁ ଦୂରେଇ ଯାଇଥିଲେ ଓ ସରକାରଙ୍କ ପାଖରେ ଆତ୍ମସମର୍ପଣ କରିଥିଲେ। ବନ୍ଧୁକ ଛାଡ଼ିବା ପରେ ତାଙ୍କ ଜୀବନର ଗତିପଥର ବଦଳି ଯାଇଥିଲା। ସେ ପାଠ ପଢ଼ିବା ସହ ଆଇନ ବିଭାଗରେ ଡିଗ୍ରୀ ପାଇଁ ଉଦ୍ୟମ ଆରମ୍ଭ କରିଥିଲେ। ଡିଗ୍ରୀ ହାସଲ କରିବା ପରେ ସେ ୱାରାଙ୍ଗଲ ଜିଲ୍ଲାରେ ଗୋଟିଏ କୋର୍ଟରେ ଓକିଲାତି ଅଭ୍ୟାସ କରିଥିଲେ।
ଆତ୍ମସମର୍ପଣ କରିବା ପରେ ସୀତାକ୍କା ଜଙ୍ଗଲରେ ରହୁଥିବା ଆଦିବାସୀମାନଙ୍କ ବିକାଶ ପାଇଁ କାମ କରିବା ଆରମ୍ଭ କରିଦେଇଥିଲେ। ତେଣୁ ଧିରେ ଧିରେ ସେ ଆଦିବାସୀ ଅଞ୍ଚଳରେ ଲୋକପ୍ରିୟ ହୋଇପାରିଥିଲେ। ୨୦୦୯ ମସିହାରେ ଟିଡିପି ତାଙ୍କୁ ବିଧାନସଭା ଟିକେଟ ଦେଇଥିଲା। ସେ ମୁଲୁଗ ଆସନରୁ ପ୍ରଥମ ଥର ନିର୍ବାଚନ ଲଢି ବିଧାୟକ ଭାବେ ବିଧାନସଭାକୁ ଆସିଥିଲେ। ହେଲେ ଅବିଭକ୍ତ ଆନ୍ଧ୍ରପ୍ରଦେଶ ଭାଙ୍ଗି ଦୁଇଟି ରାଜ୍ୟ ହୋଇଥିଲା ଓ ମୁଲୁଗ ଆସନଟି ତେଲେଙ୍ଗାନା ରାଜ୍ୟରେ ପଡିଥିଲା।
ଏହାପରେ ସୀତାକ୍କା ଟିଡିପି ଛାଡି ୨୦୧୭ରେ କଂଗ୍ରେସରେ ଯୋଗ ଦେଇଥିଲେ । ୨୦୧୯ ନିର୍ବାଚନରେ ସେ ପୁନର୍ବାର କଂଗ୍ରେସରୁ ମୁଲୁଗ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ ।
ମହାମାରୀ କରୋନା ବେଳେ ଯେଉଁ ଜଙ୍ଗଲରେ ସେ ୧୯୮୦ ଓ ୧୯୯୦ରେ ମାଓବାଦୀ ସାଜି ବୁଲୁଥିଲେ, ତାକୁ ଅତିକ୍ରମ କରି ସେ ଲୋକଙ୍କ ପାଇଁ ଜରୁରୀ ଜିନିଷ ଧରି ପହଞ୍ଚି ଯାଇଥିଲେ। ଏଥର ନିର୍ବାଚନରେ ବିଜୟୀ ହୋଇ ସୀତାକ୍କା ହାଟ୍ରିକ କରିଛନ୍ତି। ଗୋଟିଏ ପଟେ ରେବାନ୍ତ ରେଡ୍ଡୀଙ୍କ ପରେ ମୁଖ୍ୟମନ୍ତ୍ରୀ ଦୌଡରେ ସୀତାକ୍କା ମଧ୍ୟ ଥିଲେ। ହେଲେ ସେ ତେଲେଙ୍ଗାନା କ୍ୟାବିନେଟର ଜଣେ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।
Powered by Froala Editor