ସଂସଦ ଭବନ ଉପରେ ଆକ୍ରମଣ କରିବାକୁ ଧମକ ଦେଲା ଗୁରୁପତୱନ୍ତ ସିଂ ପନ୍ନୁ
ନୂଆଦିଲ୍ଲୀ: ଭାରତକୁ ପୁଣି ଧମକ ଦେଲା ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂ ପନ୍ନୁ । ବର୍ତ୍ତମାନ ସଂସଦର ଶୀତକାଳୀନ ଅଧିବେଶନ ଚାଲିଥିବା ବେଳେ ସଂସଦ ଭବନ ଉପରେ ଆକ୍ରମଣ କରିବାକୁ ସେ ନୂଆ ଧମକପୂର୍ଣ୍ଣ ଭିଡିଓ ଜାରି କରିଛି । ଭିଡିଓରେ ପନ୍ନୁ କହିଛି ଯେ, ମୋ ହତ୍ୟା ଷଡ଼ଯନ୍ତ୍ର ବିଫଳ ହୋଇଛି । ଆସନ୍ତା ୧୩ ତାରିଖ ଦିନ ମୁଁ ସଂସଦ ଉପରେ ଆକ୍ରମଣ କରି ଏହାର ପ୍ରତିଶୋଧ ନେବି । କହିରଖୁଛୁ କି, ୨୦୦୧ ମସିହା ଡିସେମ୍ବର ୧୩ରେ ସଂସଦ ଭବନ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା ।
ପନ୍ନୁ ଆମେରିକାର ଶିଖ୍ ଫର ଜଷ୍ଟିସ ସଂଗଠନର ମୁଖ୍ୟ ଅଟେ । ଯାହାକି ଭାରତରେ ବ୍ୟାନ ହୋଇଥିବା ବେଳେ ପନ୍ନୁ ଭାରତୀୟ ତଦନ୍ତକାରୀ ଏଜେନ୍ସିର ୱାଣ୍ଟେଡ ଲିଷ୍ଟରେ ରହିଛି । ନୂଆ ଧମକପୂର୍ଣ୍ଣ ଭିଡିଓରେ, ପନ୍ନୁ ୨୦୦୧ ସଂସଦ ଭବନ ଆକ୍ରମଣର ଦୋଷୀ ଅଫଜଲ ଗୁରୁ ସହ ନିଜର ଏକ ପୋଷ୍ଟର ମଧ୍ୟ ଜାରି କରିଛି, ଯେଉଁଥିରେ ଲେଖାଯାଇଛି 'ଦିଲ୍ଲୀ ବନେଗା ପାକିସ୍ତାନ' । ସେ କହିଛି ଯେ, ଭାରତୀୟ ଏଜେନ୍ସି ତାକୁ ମାରିବାକୁ ଷଡ଼ଯନ୍ତ୍ର କରିଥିଲେ । କିନ୍ତୁ ଏହା ଫେଲ୍ ହୋଇଯାଇଛି । ଏହି ଷଡ଼ଯନ୍ତ୍ରର ଜବାବରେ ସେ ଡିସେମ୍ବର ୧୩ ତାରିଖରେ ସଂସଦ ଉପରେ ଆକ୍ରମଣ କରିବ ।
ସୋମବାରଠାରୁ ସଂସଦ ଶୀତ ଅଧିନବେଶ ଆରମ୍ଭ ହୋଇଛି । ଯାହାକି ଡିସେମ୍ବର ୨୨ ପର୍ୟ୍ୟନ୍ତ ଚାଲିବ । ଏପରି ସ୍ଥଳେ ପନ୍ନୁର ଏଭଳି ଧମକ ଭିଡିଓ ସାମ୍ନାକୁ ଆସିଛି । ଏହାକୁ ନେଇ ସୁରକ୍ଷା ଏଜେନ୍ସି ଗୁଡ଼ିକ ହାଇଆଲର୍ଟରେ ରହିଛନ୍ତି ।
Powered by Froala Editor