ତେଲେଙ୍ଗାନା ନୂଆ ମୁଖ୍ୟମନ୍ତ୍ରୀ ହେବେ ରେବନ୍ଥ ରେଡ୍ଡୀ, ୭ରେ ଶପଥ

ତେଲଙ୍ଗାନାର ଆଗାମୀ ମୁଖ୍ୟମନ୍ତ୍ରୀ ହେବେ ରାଜ୍ୟ କଂଗ୍ରେସ ସଭାପତି ରେବନ୍ଥ ରେଡ୍ଡୀ। ଡିସେମ୍ବର ୭ରେ ସେ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ସମ୍ଭାବନା ରହିଛି ଏବଂ ତାଙ୍କ ସହ କିଛି ମନ୍ତ୍ରୀ ମଧ୍ୟ ଶପଥ ନେବେ। ହାଇଦ୍ରାବାଦରେ ଅନୁଷ୍ଠିତ ସିଏଲପି ବୈଠକରେ ସର୍ବସମ୍ମତିକ୍ରମେ ଏହି ନିଷ୍ପତ୍ତି ନିଆଯାଇଥିଲା ଏବଂ ମୁଖ୍ୟମନ୍ତ୍ରୀ ନିଯୁକ୍ତ କରିବାର ଚୂଡ଼ାନ୍ତ ନିଷ୍ପତ୍ତି ଦଳୀୟ ହାଇକମାଣ୍ଡଙ୍କ ଉପରେ ଛାଡ଼ି ଦିଆଯାଇଥିଲା। କଂଗ୍ରେସ ହାଇକମାଣ୍ଡ ରେବନ୍ତ ରେଡ୍ଡୀ ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ ରୂପେ ମନୋନୀତ କରିଛନ୍ତି।
ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କଂଗ୍ରେସ ହାଇକମାଣ୍ଡ ଏହି ନିଷ୍ପତ୍ତି ଉପରେ ମୋହର ମାରିଛନ୍ତି । ରାଜ୍ୟରେ ଦଳକୁ କ୍ଷମତାକୁ ଆଣିବାରେ ରେବନ୍ଥଙ୍କ ବଡ଼ ଭୁମିକା ଥିବା କୁହାଯାଉଛି। କଂଗ୍ରେସର ବରିଷ୍ଠ ନେତା ଉତ୍କଳ କୁମାର ରେଡ୍ଡୀ ଏବଂ ଭଟ୍ଟୀ ବିକ୍ରମାର୍କାଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଦିଆଯାଇପାରେ କିମ୍ବା ଉଚ୍ଚ ମନ୍ତ୍ରୀ ପଦବୀ ଦିଆଯାଇପାରେ। ରାଜ୍ୟରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ବ୍ୟବସ୍ଥା ରହିବ ନାହିଁ ବୋଲି ସୂତ୍ରରୁ ଖବର ମିଳିଛି।
୫୬ ବର୍ଷୀୟ କଂଗ୍ରେସ ନେତା ରେବନ୍ଥ ରେଡ୍ଡୀ ବର୍ତ୍ତମାନ ଲୋକସଭାର ସଦସ୍ୟ ଅଛନ୍ତି। ୨୦୧୭ରେ ସେ ତେଲୁଗୁଦେଶମ୍ ପାର୍ଟି ଛାଡ଼ି କଂଗ୍ରେସକୁ ଆସିବା ପରେ ତେଲେଙ୍ଗାନା ରାଜନୀତିର ଜଣେ ଚର୍ଚ୍ଚିତ ଚେହେରା ପାଲଟିଥିଲେ। ଭାରତୀୟ ରାଷ୍ଟ୍ର ସମିତି ( ବିଆରଏସ୍) ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଜଣେ କଡ଼ା ସମାଲୋଚକ ତେଲେଙ୍ଗାନା କଂଗ୍ରେସ ମୁଖ୍ୟ ରେଡ୍ଡୀ ପ୍ରାୟତଃ ବିଆରଏସ ଏବଂ ଏଆଇଏମଆଇଏମ୍ର ରାଜନୈତିକ ଆକ୍ରମଣର ଟାର୍ଗେଟରେ ସବୁବେଳେ ରହିଥାନ୍ତି।
Powered by Froala Editor