ଜୟପୁରରେ କରଣୀ ସେନା ସଭାପତିଙ୍କୁ ଗୁଳି କରି ହତ୍ୟା

ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ସଭାପତି ସୁଖଦେବ ସିଂହ ଗୋଗାମେଡିଙ୍କୁ ଜୟପୁରରେ ଗୁଳି କରି ହତ୍ୟା କରାଯାଇଛି। ଦିନ ଦିପ୍ରହରରେ ସୁଖଦେବ ତାଙ୍କର ଘରେ ଥିବା ସମୟରେ ହତ୍ୟାକାଣ୍ଡ ଘଟିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁର୍ବୁତ୍ତମାନେ ସୁଖଦେବଙ୍କୁ ୪ଟି ଗୁଳି ମାରିଛନ୍ତି। ଗୁଳିମାଡ଼ ଘଟଣାରେ ସୁଖଦେବଙ୍କର ଦୁଇ ଜଣ ସହଯୋଗୀ ଗୁରୁତର ଆହତ ହୋଇଛନ୍ତି।
ଅପରାହ୍ନ ପ୍ରାୟ ୧.୪୫ ମିନିଟରେ ସୁଖଦେବ ସିଂହ ଗୋଗାମେଡିଙ୍କ ଘରେ ଏହି ଘଟଣା ଘଟିଥିଲା। ଏହି ହତ୍ୟାକାଣ୍ଡର ପୂରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ସିସିଟିଭିରେ କଏଦ ଦୃଶ୍ୟରୁ ଦେଖିବାକୁ ମିଳିଛି ଯେ ସୁଖଦେବ ସିଂହ ଗୋଗାମେଡି ଓ ଆଉ ଚାରି ଜଣ ବ୍ୟକ୍ତି ଗୋଟିଏ ରୁମ୍ରେ ବସିଛନ୍ତି। ଗୋଗାମେଡି ସୋଫାରେ ବସି ମୋବାଇଲ ଫୋନ୍ ଦେଖୁଥିବା ବେଳେ ଆଉ ତିନି ଜଣ ସୋଫାରେ ବସିଥିଲେ। ଜଣେ ବ୍ୟକ୍ତି ଉକ୍ତ କଠୋରୀର ଦ୍ୱାର ପାଖରେ ଛିଡ଼ା ହୋଇଥିଲେ।
ଗୋଗାମେଡିଙ୍କ ସାମ୍ନାରେ ସୋଫାରେ ବସିଥିବା ଦୁଇ ଯୁବକ ହଠାତ୍ ଉଠିପଡ଼ି ତାଙ୍କ ଉପରକୁ ଗୁଳି କରିଥିଲେ। ତା’ସହିତ ସେଠାରେ ଉପସ୍ଥିତ ଗୋଗାମେଡିଙ୍କ ଦୁଇ ସହଯୋଗୀଙ୍କ ଉପରକୁ ଗୁଳି କରିଥିଲେ। ଗୁଳିମାଡ଼ ପରେ ଗୋଗାମେଡି ତଳେ ପଡ଼ି ଯାଇଥିଲେ। ସେ ତଳେ ପଡ଼ିଯିବା ପରେ ମଧ୍ୟ ତାଙ୍କ ଉପରକୁ ଗୁଳି କରାଯାଇଥିଲା।
ଜୟପୁର ପୋଲିସ କମିଶନର ବିଜୁ ଜର୍ଜ ଜୋସେଫ ଏହା ନିଶ୍ଚିତ କରିଛନ୍ତି। ଏହି ଘଟଣାରେ ଦୁଇ ଜଣ ମଧ୍ୟ ଆହତ ହୋଇଛନ୍ତି। ଶ୍ୟାମ ନଗର ଥାନାରେ ଘଟଣାକୁ ନେଇ ଏକ ମାମଲା ରୁଜୁ ହୋଇଛି। ପୋଲିସ ଏବେ ସିସିଟିଭି ଯାଞ୍ଚ କରୁଛି। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଂପତ ନେହେରା ପୂର୍ବରୁ ସୁଖଦେବଙ୍କୁ ଧମକ ଦେଇଥିଲେ।
Powered by Froala Editor