ତାମିଲନାଡୁ ସ୍ଥିତି ଅସମ୍ଭାଳ : ଭାସୁଛି କାର୍, ବାଇକ୍

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଯୋଗୁ ତାମିଲନାଡୁର ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ବିଶେଷକରି ଚେନ୍ନାଇରେ ଏହି ବର୍ଷା ଯୋଗୁ ଅନେକ ସ୍ଥାନରେ ରାସ୍ତା ଜଳବନ୍ଦୀ ହୋଇ ରହିଥିବା ବେଳେ ଏବଂ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ କାଟ୍ ହୋଇଛି। ଚେନ୍ନାଇର ଇଷ୍ଟକୋଷ୍ଟ ରୋଡ୍ରେ ପ୍ରବଳ ବର୍ଷା ଯୋଗୁ ନିର୍ମାଣାଧୀନ କାନ୍ଥ ଭୁଶୁଡି ଦୁଇ ଜଣଙ୍କ ମୃତ୍ୟୁ ହୋଇଛି।
ମଙ୍ଗଳବାର ଅପରାହ୍ନରେ ନେଲୋର ଏବଂ ମଛଲିପାଟନମ ମଧ୍ୟରେ ଏହି ଘୂର୍ଣ୍ଣିବଳୟ ଝଡ଼ ସୃଷ୍ଟି ହେବାର ଆଶଙ୍କା ରହିଛି। ପ୍ରବଳ ବର୍ଷା ତାମିଲନାଡୁ ବିମାନ ବନ୍ଦରେ ମଧ୍ୟ ପାଣି ପଶି ଯାଇଛି। ଚେନ୍ନାଇ ଏୟାରପୋର୍ଟ ରନ୍ଓ୍ୱେ ବର୍ଷା ପାଣିରେ ବୁଡିଯାଇଛି। ଫଳରେ ଅନେକ ବିମାନ ଉଡାଣ ବାତିଲ ହୋଇଛି। ସେହିପରି ଘରେ ଭିତରେ ପାଣି ପଶି ଯାଇଛି। ପାର୍କିଂରେ ରଖାଯାଇଥିବା କାର୍ ମଧ୍ୟ ଭାସି ଯାଉଥିବା ଦୃଶ୍ୟ ସାମ୍ନାକୁ ଆସିଛି। ସେହିପରି ପ୍ରବଳ ବର୍ଷା ଯୋଗୁ ରାସ୍ତା ଉପରକୁ ବିରାଟ ବଡ଼ କୁମ୍ଭୀର ମଧ୍ୟ ଚାଲି ଆସିଥିବା ଦେଖିବାକୁ ମିଳିଛି। ଏଥିଯୋଗୁ ଲୋକେ ଭୟଭୀତ ହୋଇପଡିଛନ୍ତି।
ସୂଚନା ମୁତାବକ, ଆସନ୍ତାକାଲି ବାତ୍ୟା ମିଗଜୋମ୍ ଆନ୍ଧ୍ରପ୍ରଦେଶର ମଛଲିପଟ୍ଟନମ୍ରେ ସ୍ଥଳ ଭାଗ ଛୁଇଁବା ସମ୍ଭାବନା ରହିଛି। ତେଣୁ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଓଡ଼ିଶା ଓ ପୁଡ୍ଡୁଚେରୀରେ ଏହାର ଅଧିକ ପ୍ରଭାବ ପଡିବ ବୋଲି ଆକଳନ କରାଯାଉଛି।
Powered by Froala Editor