ବାତ୍ୟାର ବିଶେଷ ପ୍ରଭାବ ଓଡିଶା ଉପରେ ପଡିବ ନାହିଁ: ଆଇଏମଡି ଡିଜି
ଭୁବନେଶ୍ୱର : ବାତ୍ୟା ମିଗ୍ଜୋମ୍ର ବିଶେଷ ପ୍ରଭାବ ଓଡିଶା ଉପରେ ପଡିବ ନାହିଁ। ଏନେଇ ସୋମବାର ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ଠାରୁ ସୂଚନା ମିଳିଛି। ବାତ୍ୟା ମିଗଜୋମ୍ ଡିସେମ୍ବର ୫ରେ ଆନ୍ଧ୍ର ବାପାଟ୍ଲାରେ ଉପକୂଳ ଛୁଇଁବ। ସ୍ଥଳଭାଗ ଛୁଇଁ ଉପକୂଳରେ ସମାନ୍ତରାଳ ଭାବେ ଗତି କରିବ। ଦକ୍ଷିଣ ଓଡିଶାରେ ଏହା ପହଞ୍ଚିଲା ବେଳକୁ ଦୁର୍ବଳ ହୋଇସାରିଥିବ। ଫଳରେ ଦକ୍ଷିଣ,ଆଭ୍ୟନ୍ତର ଓଡିଶାରେ ପବନ କମ୍ ମାତ୍ର ପ୍ରବଳ ବର୍ଷା ହେବ। ୪ ତାରିଖ ରାତିରୁ ଦକ୍ଷିଣ ଓଡିଶାରେ ବର୍ଷା ଆରମ୍ଭ ହୋଇଯିବ। ୫ରୁ ବର୍ଷା ବଢିବା ସହ ୫ରେ କିଛି ସ୍ଥାନରେ ଓ ୬ ତାରିଖରେ ପ୍ରବଳ ବର୍ଷା ହେବ। ମାତ୍ର ପବନ ଅଧିକ ହେବ ନାହିଁ। ଓଡିଶାରେ ୩୫ରୁ ୪୫ କିମି ବେଗରେ ପବନ ବହିପାରେ। ବର୍ଷା ଓ ପବନ ଯୋଗୁଁ ପାଚିଲା ଧାନ ଓ ପରିବା ନଷ୍ଟ ହେବାର ସମ୍ଭାବନା ରହିଛି। ମତ୍ସ୍ୟଜୀବୀମାନେ ୬ ତାରିଖ ପର୍ୟ୍ୟନ୍ତ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି।
ବାତ୍ୟା ପୂର୍ବରୁ ତାମିଲନାଡ଼ୁରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଚେନ୍ନାଇରେ ଗତକାଲି ରାତିଠୁ ଲଗାଣ ବର୍ଷା ଜାରି ରହିଛି। ପ୍ରଭାବରେ ଅନେକ ସ୍ଥାନରେ ପାଣି ଜମିଛି। ସହରର ଅନେକ ସ୍ଥାନରେ ଅଣ୍ଟାଏ ଉଚ୍ଚର ପାଣି ଜମିଲାଣି। ପାଣି ରହିବା ଯୋଗୁଁ ଗାଡ଼ି ଚଳାଚଳରେ ବାଧା ଉପୁଜିଛି।କିଛି ସ୍ଥାନରେ ଘର ଭିତରେ ବି ପାଣି ପଶି ଯାଇଥିବା ଦେଖିବାକୁ ମିଳିଛି। ଧିରେ ଧିରେ ପବନର ବେଗ ବଢ଼ୁଥିବାରୁ ଅନେକ ସ୍ଥାନରେ ଗଛ ଭାଙ୍ଗି ରାସ୍ତାରେ ପଡ଼ିଛି। ସମୟ ଯେତେ ବଢ଼ୁଛି ଲୋକଙ୍କ ମନରେ ଛନକା ସେତିକି ପଶୁଛି।
Powered by Froala Editor