ତାମିଲନାଡୁରେ ବାତ୍ୟା ପ୍ରଭାବ: ପ୍ରବଳ ବର୍ଷା

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 'ମିଗଜୋମ' । ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳର ନେଲୋର ଓ ମଚ୍ଛଲିପଟନମ ମଧ୍ୟରେ ଆସନ୍ତାକାଲି ତାରିଖରେ ପୂର୍ବାହ୍ନରେ ଅତିକ୍ରମ କରିବାର ସମ୍ଭାବନା ରହିଛି । ଏହି ସମୟରେ ଭୀଷଣ ବାତ୍ୟାର ରୂପ ନେଇପାରେ 'ମିଗଜୋମ' । ଅନ୍ୟପଟେ ତାମିଲନାଡୁରେ ଏହି ବାତ୍ୟାର ପ୍ରଭାବ ଦେଖିବାକୁ ମିଳିଛି । ଓଡିଶାରେ କିଛି ସ୍ଥାନରେ ବର୍ଷା ନେଇ ଆଲର୍ଟ ଜାରି ହୋଇଥିବା ବେଳେ ତାମିଲନାଡୁର ଏକାଧିକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି ।
ଜଳ ନିଷ୍କାସନ ହୋଇନଥିବାରୁ ବିଭିନ୍ନ ସ୍ଥାନରେ ବର୍ଷା ଯୋଗୁ କୃତ୍ରିମ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଟ୍ରାଫିକ ସମସ୍ୟା ମଧ୍ୟ ଦେଖାଯାଇଛି । ସୋମବାର ଦିନ ତାମିଲନାଡୁ ସରକାର ରାଜ୍ୟର ୪ଟି ଜିଲ୍ଲାରେ ଛୁଟି ଘୋଷଣା କରିଛନ୍ତି । ଚେନ୍ନାଇ, ତିରୁଭଲ୍ଲୁର, କାଞ୍ଚିପୁରମ୍, ଚେଙ୍ଗାଲପଟ୍ଟୁ ଜିଲ୍ଲାଗୁଡିକରେ ପ୍ରବଳ ବର୍ଷା ଜାରି ରହିଛି । ପ୍ରବଳ ବର୍ଷା ଯୋଗୁଁ ଟ୍ରେନର ସମୟରେ ମଧ୍ୟ ପରିବର୍ତ୍ତନ ହୋଇଛି । ଅନେକ ମେଟ୍ରୋ ଅଞ୍ଚଳଗୁଡିକ ଜଳବନ୍ଦୀ ରହିଛି । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପଣ୍ଡିଚେରୀରର ଉପକୂଳ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି ।
ବାତ୍ୟା ପୂର୍ବରୁ ତାମିଲନାଡ଼ୁରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଚେନ୍ନାଇରେ ଗତକାଲି ରାତିଠୁ ଲଗାଣ ବର୍ଷା ଜାରି ରହିଛି। ପ୍ରଭାବରେ ଅନେକ ସ୍ଥାନରେ ପାଣି ଜମିଛି। ସହରର ଅନେକ ସ୍ଥାନରେ ଅଣ୍ଟାଏ ଉଚ୍ଚର ପାଣି ଜମିଲାଣି। ପାଣି ରହିବା ଯୋଗୁଁ ଗାଡ଼ି ଚଳାଚଳରେ ବାଧା ଉପୁଜିଛି।କିଛି ସ୍ଥାନରେ ଘର ଭିତରେ ବି ପାଣି ପଶି ଯାଇଥିବା ଦେଖିବାକୁ ମିଳିଛି। ଧିରେ ଧିରେ ପବନର ବେଗ ବଢ଼ୁଥିବାରୁ ଅନେକ ସ୍ଥାନରେ ଗଛ ଭାଙ୍ଗି ରାସ୍ତାରେ ପଡ଼ିଛି। ସମୟ ଯେତେ ବଢ଼ୁଛି ଲୋକଙ୍କ ମନରେ ଛନକା ସେତିକି ପଶୁଛି।
Powered by Froala Editor