ତେଲେଙ୍ଗାନାରେ ଅକ୍ତିଆର କରିବ କଂଗ୍ରେସ

ନୂଆଦିଲ୍ଲୀ: ଅଧିକାଂଶ ଏକଜିଟ୍ ପୋଲ୍ ସର୍ଭେରେ ଏଥର ତେଲେଙ୍ଗାନାରେ କଂଗ୍ରେସ କ୍ଷମତା ଅକ୍ତିଆର କରିବ ବୋଲି କୁହାଯାଇଥିଲା । ସର୍ଭେ ମୁତାବକ ଏଠାରେ ଫଳାଫଳ ବି ସମାନ ହେଉଥିବା ଦେଖିବାକୁ ମିଳୁଛି । କେସିଆର ଏଥର ତେଲେଙ୍ଗାନାର କ୍ଷମତା ଦାୟିତ୍ୱରୁ ହଟୁଥିବାବେଳେ, କଂଗ୍ରେସ ଏଠି କ୍ଷମତା ଅକ୍ତିଆର କରୁଛି । ଭାଙ୍ଗିବାକୁ ଯାଉଛି କେସିଆରଙ୍କ ହାଟ୍ରିକ ସ୍ୱପ୍ନ । ତେଲେଙ୍ଗାନାରେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ସ୍ୱପ୍ନ ଦେଖିଥିବା କେ ଚନ୍ଦ୍ରଶେଖର ରାଓଙ୍କ ସ୍ୱପ୍ନକୁ ଭାଙ୍ଗିରୁଜି ଚୁରମାର କରିଦେଇଛି କଂଗ୍ରେସ । ବର୍ତ୍ତମାନ ତେଲେଙ୍ଗାନାରୁ ଆସୁଥିବା ପ୍ରାରମ୍ଭିକ ଟ୍ରେଣ୍ଡରେ, ଏଠି କଂଗ୍ରେସ କ୍ଷମତା ଅକ୍ତିଆର କରୁଥିବା ଦେଖିବାକୁ ମିଳୁଥିବାବେଳେ, କେସିଆରଙ୍କ କ୍ଷମତାଶୀନ ବିଆରଏସ୍ ବହୁ ପଛରେ ପଡିଯାଇଛି
ଦିନ ୧୧ଟା୪୦ ସୁଦ୍ଧା ଟ୍ରେଣ୍ଡ ଅନୁସାରେ କଂଗ୍ରେସ ତେଲେଙ୍ଗାନାରେ ୭୨ଟି ଆସନରେ ଆଗୁଆ ଥିବାବେଳେ, ବିଆରଏସ୍ ୩୪ଟି ଆସନରେ ଆଗୁଆ ରହିଛି । ସେହିପରି ତେଲେଙ୍ଗାନାରେ ବିଜେପି ମଧ୍ୟ ୯ଟି ଆସନରେ ଆଗୁଆ ରହିଛି । ତେବେ ତେଲେଙ୍ଗାନାରେ ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ୬୦ ରହିଛି ।
ତେଲେଙ୍ଗାନାର କାମାରେଡ୍ଡୀ ବିଧାନସଭା ଆସନରେ ଦେଖିବାକୁ ମିଳିଛି ରେଭନ୍ତ ଏବଂ କେସିଆର ଜୋରଦାର ଲଢେଇ । ରାଜ୍ୟର ଏହି ବହୁଚର୍ଚ୍ଚିତ ଆସନରେ ବିଆରଏସ୍ ପ୍ରମୁଖ କେସିଆରଙ୍କୁ ପଛରେ ପକାଇ ଦେଇଛନ୍ତି ରେଭନ୍ତ । ଅନ୍ୟପଟେ କେସିଆରଙ୍କ ପାରମ୍ପରିକ ଆସନ ଗେଜୱେଲରେ ମଧ୍ୟ ସେ କଡ୍ଡା ଟକ୍କରର ସାମ୍ନା କରୁଛନ୍ତି । ଏହି ଆସନରେ ମଧ୍ୟ କଂଗ୍ରେସ ପ୍ରାର୍ଥୀ ଆଗୁଆ ରହିଛନ୍ତି । ସେପଟେ କିନ୍ତୁ ରେଭନ୍ତ ନିଜ ପାରମ୍ପରିକ ଆସନରେ ଆଗୁଆ ଚାଲୁଛନ୍ତି ।
Powered by Froala Editor