ଋଣ ବୋଝ: ୧୫ କୋଟି ଚାଷୀଙ୍କ ଉପରେ ୨୧ ଲକ୍ଷ କୋଟିର ଋଣଭାର
ନୂଆଦିଲ୍ଲୀ: ଦେଶର ଚାଷୀଙ୍କ ଉପରେ ଋଣ ବୋଝ ବଢ଼ିବାରେ ଲାଗିଛି। ୧୫.୫ କୋଟି ଚାଷୀଙ୍କ ଉପରେ ୨୧ ଲକ୍ଷ କୋଟି ଟଙ୍କାର ଋଣ ରହିଛି। ପ୍ରତି ଚାଷୀଙ୍କ ପିଛା ହାରାହାରି ୧.୩୫ ଲକ୍ଷ ଟଙ୍କା ବକେୟା ରହିଛି। ବ୍ୟବସାୟିକ, ସମବାୟ ଏବଂ ଆଞ୍ଚଳିକ ବ୍ୟାଙ୍କରୁ ଏହି ଋଣ ନିଆଯାଇଛି। ଦେଶରେ ତାମିଲନାଡୁ ଚାଷୀଙ୍କ ଉପରେ ସର୍ବାଧିକ ଋଣ ଭାର ରହିଛି। ଏଠାକାର ୨.୭୯ କୋଟି ଚାଷୀଙ୍କ ଉପରେ ୩.୪୭ ଲକ୍ଷ କୋଟି ଟଙ୍କା ବକେୟା ରହିଛି। ରାଷ୍ଟ୍ରୀୟ କୃଷି ଏବଂ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ) ପକ୍ଷରୁ ଏହି ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ କର୍ଣ୍ଣାଟକର ୧.୩୫ କୋଟି ଚାଷୀ ୧.୮୧ ଲକ୍ଷ ହଜାର କୋଟି ଟଙ୍କାର ଋଣ ନେଇଛନ୍ତି। ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର, ଗୁଜରାଟ, ତେଲଙ୍ଗାନା, କେରଳ ଏବଂ ଆନ୍ଧ୍ରପ୍ରଦେଶ ଚାଷୀଙ୍କ ଉପରେ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ବାକି ରହିଛି। ହାରାହାରି ଋଣ ମାମଲାରେ ପଞ୍ଜାବ ପ୍ରଥମ ସ୍ଥାନରେ ରହିଛି। ଏଠାରେ ପ୍ରତି ଖାତାଧାରୀଙ୍କ ହାରାହାରି ଋଣ ପରିମାଣ ୨.୯୫ ଲକ୍ଷ କୋଟି ଟଙ୍କା ରହିଛି। ୨.୨୯ ଲକ୍ଷ ଟଙ୍କା ସହ ଗୁଜରାଟ ଦ୍ବିତୀୟ ସ୍ଥାନରେ ରହିଛି। ହରିୟାଣା ଏବଂ ଗୋଆ ଚାଷୀଙ୍କ ପିଛା ୨ ଲକ୍ଷରୁ ଅଧିକ ଟଙ୍କାର ଋଣ ରହିଛି।
କେନ୍ଦ୍ରଶାସିତ ଅଞ୍ଚଳ ଦାଦର ଏବଂ ନଗର ହାବେଳୀର ସ୍ଥିତ ସବୁଠାରୁ ଖରାପ ରହିଛି। ଏଠାକାର ପ୍ରତି ଚାଷୀଙ୍କ ପିଛା ୪ ଲକ୍ଷରୁ ଅଧିକ ଟଙ୍କା ବାକି ରହିଛି। ଏହା ପରେ ଦିଲ୍ଲୀରେ ୩.୪୦ ଲକ୍ଷ ଟଙ୍କା, ଚଣ୍ଡିଗଡ଼ରେ ୨.୯୭ ଲକ୍ଷ ଟଙ୍କା ଏବଂ ଡାମନ-ଡିଉରେ ୨.୭୫ ଲକ୍ଷ ଟଙ୍କା ରହିଛି। ମୋଟ ଋଣ ଦୃଷ୍ଟିରୁ ପଞ୍ଜାବ ଦେଶର ସର୍ବାଧିକ ଋଣ ନେଇଥିବା ରାଜ୍ୟ। ଏହି ରାଜ୍ୟ ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୫୩.୩ ପ୍ରତିଶତ ଋଣ ନେଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ସୂଚନା ଅନୁଯାୟୀ କୌଣସି ରାଜ୍ୟର ଋଣ ଭାର ଜିଡିପିର ୩୦ ପ୍ରତିଶତରୁ ଅଧିକ ହେବା ଅନୁଚିତ। ରାଜ୍ୟ ଆୟର ସିଂହ ଭାଗ ଅର୍ଥ ଋଣ ପରିଶୋଧ କରିବାରେ ଖର୍ଚ୍ଚ ହେଉଛି। ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ ଜନପ୍ରିୟ ଘୋଷଣା ଯୋଗୁଁ ଋଣଭାର ବଢ଼ି ଚାଲିଛି। ଏହା ୨.୫୨ ଲକ୍ଷ କୋଟିରୁ ଅଧିକ ହୋଇଗଲାଣି। ପଞ୍ଜାବ ଏବଂ ହରିୟାଣା ନିଜ ଆୟର ୨୧ ପ୍ରତିଶତ ଅଂଶ ସୁଧ ଦେବାରେ ଲଗାଉଛନ୍ତି। ଏହା ସାରା ଦେଶରେ ସର୍ବାଧିକ। ଅନ୍ୟପଟେ ୨୦୨୨-୨୩ରେ ରାଜ୍ୟମାନେ କରୁଥିବା ଋଣ ହ୍ରାସ ପାଇବ ବୋଲି ଆର୍ବିଆଇ ପକ୍ଷରୁ କୁହଯାଇଛି
Powered by Froala Editor