ବିଜେପି ବିଧାୟକଙ୍କ ବିରୋଧରେ ଏତଲା
ପୁରୀ : ଅକଳରେ ପଡ଼ିଯାଇଛନ୍ତି ବିଜେପି ବିଧାୟକ । ରଥଯାତ୍ରା ଖର୍ଚ୍ଚକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ନୀଳଗିରି ବିଧାୟକ ସୁଶାନ୍ତ ନାୟକଙ୍କ ନାଁରେ ଶ୍ରୀଜଗନ୍ନାଥ ସେନା ସିଂହଦ୍ୱାର ଥାନାରେ ଅଭିଯୋଗ କରିଛି । ସଂଗଠନର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ସିଂହଦ୍ୱାର ଥାନାରେ କରିଥିବା ଲିଖିତ ଅଭିଯୋଗରେ ଦର୍ଶାଇଛନ୍ତି, ନୀଳଗିରିରେ ହେଉଥିବା ରଥଯାତ୍ରା ପାଇଁ ଅଯଥାରେ ୭ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି ବୋଲି ବିଧାୟକ ଶ୍ରୀ ନାୟକ ମତ ଦେଇଛନ୍ତି । କରୋନା ସମୟରେ ଏଭଳି ଖର୍ଚ୍ଚ ନ କରି ରଥଯାତ୍ରାକୁ ବନ୍ଦ ରଖିବାକୁ ସେ ଜିଲ୍ଲାପାଳଙ୍କୁ ଚିଠି କରିଛନ୍ତି । ବିଧାୟକଙ୍କ ଏଭଳି ଚିଠି ମହାପ୍ରଭୁଙ୍କ ଭକ୍ତଙ୍କ ଭାବନାକୁ କୁଠାରାଘାତ କରିଛି । ସେନା ପକ୍ଷରୁ ବିଧାୟକଙ୍କୁ କଳାପାହାଡ଼ ବୋଲି ଆଖ୍ୟା ଦିଆଯିବା ସହ ଏଭଳି କାର୍ଯ୍ୟ ପାଇଁ ମହାପ୍ରଭୁ କେବେ ବି କ୍ଷମା ଦେବେନି ବୋଲି ସଂଗଠନ କହିଛି । ବିଧାୟକଙ୍କୁ ତୁରନ୍ତ ଗିରଫ କରିବାକୁ ସଂଗଠନ ଦାବି କରିବା ସହ ତାଙ୍କ ବିରୋଧରେ ଆଇପିସି ୨୯୫, ୨୯୫(କ), ୨୯୬, ୨୯୭, ୨୯୮ ଓ ୧୨୦(ଖ) ଦଫାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ।
Powered by Froala Editor