ଶିମିଳିପାଳ ଅଭୟାରଣ୍ୟ ବନ୍ଦ
ବାରିପଦା: ପର୍ୟ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ପ୍ରବେଶ ସାମୟିକ ସ୍ଥଗିତ ରଖାଯାଇଛି । ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ଉପ ନିର୍ଦ୍ଦେଶକ(ଦକ୍ଷିଣ) ସମ୍ରାଟ ଗୌଡା ପ୍ରେସ ବିବୃତ୍ତି ଜରିଆରେ ଜଣାଇଛନ୍ତି । ଅନିର୍ବାଯ୍ୟ କାରଣ ବା ଏଡାଇ ହେଉନଥିବା ପରିସ୍ଥିତି ପାଇଁ ଅନ୍ୟ ଆଦେଶ ଯାଏ ଶିମିଳିପାଳ ଅଭ୍ୟୟାରଣ୍ୟର ଦୁଇ ପ୍ରବେଶ ଫାଟକ ବାରିପଦା ନିକଟ ପୀଠାବଟା ଓ ଯଶିପୁର ନିକଟ କାଳିଆଣୀକୁ ବନ୍ଦ କରାଯାଇଛି । ସେ ଅନୁସାରେ ପର୍ୟ୍ୟଟକ ନିଜର ଗସ୍ତ ପରିବର୍ତ୍ତନ ପାଇଁ ଅନୁରୋଧ କରାଯାଇଛି । ଅଧିକ ତଥ୍ୟ ପାଇଁ ପର୍ୟ୍ୟଟକ ଅଫିସିଆଲ ଓ୍ବେବସାଇଟ ବା ଇକୋଟୁର ସାଇଟରେ ପ୍ରଦତ୍ତ ହେଲ୍ପଲାଇନ ନମ୍ବରରେ ଯୋଗାଯୋଗ କରିପାରିବେ ବୋଲି ବିବୃତ୍ତି କୁହାଯାଇଛି ।
ସୂଚନାଯୋଗ୍ୟ ଚଳିତ ବର୍ଷ ଅକ୍ଟୋବର ୧୪ତାରିଖରୁ ଉପରୋକ୍ତ ପ୍ରବେଶ ଫାଠକ ପର୍ୟ୍ୟଟକଙ୍କ ପାଇଁ ଖୋଲାଯାଇଥିଲା । ପର୍ୟ୍ୟଟକ ମଧ୍ୟ ବହୁ ସଂଖ୍ୟାରେ ଭ୍ରମଣରେ ଆସି ମଜା ନେଉଥିଲେ । ତେବେ ଶିମିଳିପାଳ ଆଭ୍ୟନ୍ତରୀଣରେ ଥିବା କେତେକ ଗ୍ରାମର ଜନସାଧାରଣ ବିଭିନ୍ନ ଦାବି ନେଇ ଅକ୍ଟୋବର ୧୪ତାରିଖରୁ ବିଭିନ୍ନ ସମୟରେ ଆନ୍ଦୋଳନ ପାଇଁ ପର୍ୟ୍ୟଟକ ଅଡୁଆରେ ପଡୁଛନ୍ତି । ଭ୍ରମଣ ପାଇଁ ଉଦ୍ଦିଷ୍ଟ ରାସ୍ତା ଅବରୋଧ ପାଇଁ ସେମାନେ ଯଥା ସମୟରେ ସମସ୍ତ ପର୍ୟ୍ୟଟନ ସ୍ଥଳୀ ଦର୍ଶନ ବା ବୁଲିବାରୁ ବଞ୍ଚିତ ରହୁଛନ୍ତି । ଶନିବାର ଏନେଇ ଉତ୍ତେଜନା ମୂଳକ ସ୍ଥିତି ସୃଷ୍ଟି ହେବାରୁ ସମ୍ଭବତଃ ଏଭଳି ପଦକ୍ଷେପ ନେବାକୁ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କର୍ତ୍ତୃପକ୍ଷ ବାଧ୍ୟ ହୋଇଛନ୍ତି ବୋଲି କୁହାଯାଉଛି ।
Powered by Froala Editor