ନିଶା ବେପାରୀ ଦାନ୍ତ ଡାକ୍ତର ଗିରଫ
ଯାଜପୁରଟାଉନ: ବ୍ରାଉନ ସୁଗାର କାରବାରରେ ଦାନ୍ତ ଡାକ୍ତର। ନିଜେ ଏହି ନିଷିଦ୍ଧ ନିଶା ସେବନ କରୁଥିଲେ, ଏଜେଣ୍ଟ ଜରିଆରେ ବିକ୍ରି ମଧ୍ୟ କରୁଥିଲେ। ବାଲେଶ୍ବର ଓ ଭୁବନେଶ୍ବରରୁ ସେ ବ୍ରାଉନସୁଗାର ମଗାଇ ବେପାର ଚଳାଇ ଆସିଥିଲେ। ଯାଜପୁର ଟାଉନ ପୁଲିସ ଆଜି ଏଭଳି ଜଣେ ନିଶା ବେପାରୀ ଦାନ୍ତ ଡାକ୍ତରଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଦାନ୍ତ ଡାକ୍ତର ହେଲେ ଯାଜପୁର ସହର ମହାବୀର ନଗରର ନିଗମାନନ୍ଦ ଖଟୁଆ (୨୮)। ସେ ଭୁବନେଶ୍ବରର ଏକ ଘରୋଇ ମେଡିକାଲ କଲେଜରେ ପାଠପଢ଼ା ଶେଷକରି ସେହିଠାରେ ସେବା ଯୋଗାଉଥିଲେ। ପରେ ଯାଜପୁର ଆସି ନିଜ ଘରେ ସାରସ୍ବତ ନାମକ ଏକ କ୍ଲିନିକ ଖୋଲିଥିଲେ। ପରିବାର ଲୋକେ ବିରୋଧ କରୁଥିଲେ ମଧ୍ୟ ନିଶା କାରବାରରୁ ନିବୃତ୍ତ କରିପାରି ନଥିଲେ। ସେ ଗିରଫ ହେବା ପରେ ତାଙ୍କ କ୍ଲିନିକ୍ର ଫଳକ ହଟାଯାଇଥିବା ଜଣାପଡ଼ିଛି।
ଅନ୍ୟ ଦୁଇ ଗିରଫ ଅଭିଯୁକ୍ତ ହେଲେ ସହରର କୁସୁମା ନିକଟ ସିନ୍ଦୁରାଇମୁହଁ ଅଞ୍ଚଳର ସନ୍ଦୀପ କୁମାର ମଲିକ(୨୮) ଓ ସିଦ୍ଧେଶ୍ବର ଅଞ୍ଚଳର ରକ୍ଷାକର ଦୀକ୍ଷିତ(୨୭)। ଉଭୟଙ୍କ ପାଖରୁ ୨୫.୨ ଗ୍ରାମ୍ ବ୍ରାଉନସୁଗାର ଜବତ ହୋଇଛି। ଡାକ୍ତର ଖଟୁଆଙ୍କ ପାଖରୁ ଉଭୟ ବ୍ରାଉନସୁଗାର କିଣୁଥିବା ପୁଲିସକୁ ସୂଚନା ଦେଇଥିଲେ। ଡାକ୍ତରଙ୍କଠାରୁ ବ୍ରାଉନସୁଗାର ମିଳିନି। ସେ ନିଷିଦ୍ଧ ନିଶା କେଉଁଠି ରଖିଛନ୍ତି, ସେ ନେଇ ପୁଲିସ ଅନୁସନ୍ଧାନ ଜାରି ରଖିଛି। ସଂପୃକ୍ତ ଦୁଇ ଯୁବକଙ୍କ ସହ ଫୋନ୍ ପେ ମାଧ୍ୟମରେ ଡାକ୍ତର ଖଟୁଆଙ୍କ ଟଙ୍କା ନେଣଦେଣ ହୋଇଥିବାର ପ୍ରମାଣ ମିଳିବା ପରେ ତାଙ୍କୁ ପୁଲିସ ଗିରଫ କରିଛି। ଏହି ଘଟଣାରେ ପୁଲିସ ବ୍ରାଉନସୁଗାର ସହ ୪ଟି ମୋବାଇଲ ଫୋନ ଜବତ କରିଛି। ଏସ୍ଆଇ ପ୍ରହଲ୍ଲାଦ ବାରିକଙ୍କ ଅଭିଯୋଗକୁ ଭିତ୍ତିକରି ନମ୍ବର ୪୨୭/୨୩ ଦଫା ୨୧(ବି),୨୯(୧)ଏନଡିପିଏସ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଛି। ଏହି ଘଟଣାରେ ପୁଲିସ ଅଧିକ ତଦନ୍ତ ଜାରି ରଖିଥିବା ସାମ୍ବାଦିକ ସମ୍ମିଳନୀରେ ଏସ୍ଡିପିଓ ସତ୍ୟବ୍ରତ ଲେଙ୍କା ଓ ଟାଉନ ଥାନାଧିକାରୀ ବିଲ୍ବମଙ୍ଗଳ ସେଠୀ ସୂଚନା ଦେଇଛନ୍ତି।
Powered by Froala Editor