ବାଂଲାଦେଶ ମୁହାଁ ହେବ ବାତ୍ୟା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଆସନ୍ତାକାଲି ବାତ୍ୟାର ରୂପ ନେବ । ଆଜି ଗଭୀର ଅବପାତ ଘଣ୍ଟା ପ୍ରତି ୧୭ କିମି ବେଗରେ ଗତି କରୁଛି । ଖବର ଲେଖା ସୁଦ୍ଧା ଏହା ବିଶାଖାପାଟଣାରୁ ୩୯୦ କିମି, ପାରାଦୀପ ଠାରୁ ୩୨୦ କିମି, ଦୀଘାରୁ ୪୬୦ କିମି ଓ ବାଂଲାଦେଶ ଖେପୁପଡ଼ାରୁ ୬୧୦ କିମି ଦୂରରେ ଅଛି । କାଳକ୍ରମେ ଏହା ଉତ୍ତର-ଉତ୍ତରପୂର୍ବ ଦୀଗକୁ ଗତି କରି ବାତ୍ୟାର ରୂପ ନେବ । ପରବର୍ତ୍ତୀ ୨୪ ଘଣ୍ଟାରେ ବାତ୍ୟା ରୂପ ନେଇ ବାଂଲାଦେଶ ଉପକୂଳ ମୁହାଁ ହେବ । ୧୮ ତାରିଖ ସକାଳେ ବାଂଲାଦେଶର ମଙ୍ଗଳା-ଖେପୁପଡ଼ା ମଧ୍ୟରେ ଉପକୂଳ ଛୁଇଁବ । ଉପକୂଳ ଛୁଇଁବାବେଳେ ୫୫ରୁ ୭୫ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି ।
ବାତ୍ୟାର ନାଁ ରହିବ ‘ମିଢିଲି’ । ଏହାର ନାମକରଣ କରିଛି ମାଲଦୀପ । ବାଂଲାଦେଶରେ ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବା ସମ୍ଭାବନା ରହିଛି । ଆସନ୍ତାକାଲି ସକାଳେ ଗଭୀର ଅବପାତ ଓଡ଼ିଶା ଉପକୂଳ ନିକଟବର୍ତ୍ତୀ ହେବ । ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପାଗରେ ପରିବର୍ତ୍ତନ ଆସିଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର ଏବଂ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ୱର ଏବଂ ଭଦ୍ରକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ବର୍ଷା ସହ ଘଣ୍ଟାପ୍ରତି ୫୦ ରୁ ୬୦ କିଲୋମିଟର ବେଗରେ ବହିବ ପବନ । ଫଳରେ ସମୁଦ୍ର ଅଶାନ୍ତରୁ ତୀବ୍ର ଅଶାନ୍ତ ହେବ । ଏଥିପାଇଁ ୧୮ ତାରିଖ ପର୍ଯ୍ୟନ୍ତ ମସô୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି । ପ୍ରବଳ ବର୍ଷାରେ ଧାନ ଚାଷ ପ୍ରଭାବିତ ହୋଇପାରେ । ସେଥିପାଇଁ ଅମଳ ଯୋଗ୍ୟ ହୋଇଥିବା ଧାନକୁ ସୁରକ୍ଷିତ ସ୍ଥାନକୁ ନେଇଯିବାକୁ ପରାମର୍ଶ ଦିଆଯାଇଛି ।
Powered by Froala Editor