ପାଣି ଓ ନଡ଼ିଆ କତା ଗୁଣ୍ଡରେ ହେଉଛି ପରିବା ଚାଷ
ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ କାକବରେଇ ଗାଁର ସଞ୍ଜୟ ଦାସ । ଇଲେକ୍ଟ୍ରିକାଲ ଇଂଜିନିୟରିଂରେ ଡିପ୍ଲୋମା କରି ସାରିବା ପରେ ବାହାର ରାଜ୍ୟରେ ଚାକିରି କରିଥିଲେ । ହେଲେ ଚାକିରି କରିଥିବା ସ୍ଥାନରେ ଚାକିରି ଅପେକ୍ଷା ଚାଷରୁ ଅଧିକ ଆୟ ହେଉଥିବା ଜାଣିବା ପରେ ନିଜ ଜୀବନର ମୋଡ଼ ବଦଳାଇ ଦେଇଥିଲେ ସଞ୍ଜୟ । ନୂତନ ଜ୍ଞାନ କୌଶଳରେ ଚାଷ ପ୍ରତି ମନ ବଳାଇ ଏବେ ସେ ବାୟୋଫ୍ଲକ୍, ହାଇଡେ଼୍ରାଫୋନିକ୍, ହାଙ୍ଗିଙ୍ଗ୍ ବ୍ୟାଗ୍ ଫାର୍ମିଙ୍ଗ, ଗ୍ରୋ ବ୍ୟାଗ୍ ଫାର୍ମିଙ୍ଗ ପଦ୍ଧତିରେ ବିନା ମାଟିରେ ନଡିଆ କତା ଗୁଣ୍ଡକୁ ବ୍ୟବହାର କରି ପରିବା ଚାଷ କରିଛନ୍ତି ଓ ଲାଭବାନ ହୋଇଛନ୍ତି ଏଥିସହ ୫ଶହରୁ ଅଧିକ ଲୋକଙ୍କୁ ରୋଜଗାର ମଧ୍ୟ ଦେଇପାରିଛନ୍ତି । ରେମୁଣା ବ୍ଲକର ଏକ ଛୋଟ ଗାଁ ହେଉଛି କାକବରେଇ । ଆଉ ଏଇ ଗାଁର କମ ଜାଗାରେ ଅତ୍ୟାଧୁନିକ ପ୍ରଣାଳୀରେ ହେଉଛି ଭଳିକିଭଳି ପରିବା ଚାଷ । ହେଲେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ପରିବା ଚାଷ ପାଇଁ ମାଟିର ଆବଶ୍ୟକତା ପଡୁନାହିଁ ।
ବରଂ ଅତ୍ୟାଧୁନିକ ପଦ୍ଧତିରେ ପାଣି ଓ ନଡ଼ିଆ କତା ଗୁଣ୍ଡରେ କରାଯାଉଛି ଏହି ପରିବା ଚାଷ । ଯାହାକୁ କୁହାଯାଉଛି ହାଇଡେ଼୍ରାଫୋନିକ ପରିବା ଚାଷ । ଯେଉଁଥିରେ ସେ ଚାଷ କରିଛନ୍ତି କ୍ୟାପ୍ସିକମ, ବିଲାତି ବାଇଗଣ, କଲରା ଓ କାକୁଡି, ଧନିଆପତ୍ର, ବାଇଗଣ ଭଳି ଭଳିକି ଭଳି ପନିପରିବା । ଏହି ଚାଷରୁ ସେ ପ୍ରତି ସପ୍ତାହରେ ସେ ବହୁ ପରିମାଣରେ ପନିପରିବା ଅମଳ କରୁଛନ୍ତି ଏବଂ ଏହାକୁ ବଜାରରେ ବ୍ୟବସାୟୀଙ୍କୁ ବିକ୍ରି କରି ବେଶ ଭଲ ଦିପଇସା ରୋଜଗାର ବି କରୁଛନ୍ତି । ତେବେ ଏହି ଚାଷ ପାଇଁ ମାତ୍ର ଅଳ୍ପ ଜାଗାରେ ପିଭିସି ପାଇପ ସଂଯୋଗକରି ମାଟି ପରିବର୍ତ୍ତେ ପାଣିରେ ନଡିଆ କତା ଗୁଣ୍ଡକୁ ବ୍ୟବହାର କରି ଅତି କମ ପରିଶ୍ରମ ଓ ଅଳ୍ପ ଖର୍ଚ୍ଚରେ ସେ ଏହି ପରିବା ଚାଷ କରି ସମସ୍ତଙ୍କୁ ଚକିତ କରିଛନ୍ତି । ତେବେ ଏହି ହାଇଡେ଼୍ରାଫୋନିକ ପଦ୍ଧତିରେ ସେ ଉତ୍ତରପ୍ରଦେଶରୁ ଟ୍ରେନିଂ ନେବା ପରେ ସେ ଏବେ ନିଜ ବାଡିରେ ଖୁବ କମ ଜାଗାରେ ଏହି ଚାଷ କରି ଭଲ ରୋଜଗାର କରୁଛନ୍ତି । ଏଥି ସହ ୧୦ଟି ପୋଖରୀ ସହ ଦେଢ ଏକର ଜମିରେ ହାଇଡେ଼୍ରାଫୋନିକ , ହାଙ୍ଗିଙ୍ଗ ବ୍ୟାଗ ଫାର୍ମିଙ୍ଗ,ଗ୍ରୋ ବ୍ୟାଗ ଫାର୍ମିଙ୍ଗ ପଦ୍ଧତିରେ ଚାଷ କରି ବାର୍ଷିକ ଏକ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ରୋଜଗାର କରି ପାରୁଛନ୍ତି ।
Powered by Froala Editor